ଶ୍ରୀଲଙ୍କା କ୍ୟାବିନେଟରେ ବଡ ନିଷ୍ପତ୍ତି, ଭାରତ ସମେତ ଏହି ଦେଶର ଲୋକଙ୍କୁ ଭିଜା ପାଇଁ ଦେବାକୁ ପଡିବନି ଶୁଳ୍କ

କଲମ୍ବୋ, ୨୪।୧୦: ଭାରତ ସମେତ ୭ଟି ଦେଶ ପାଇଁ ଭିଜା ମାଗଣା କରିବାକୁ ଶ୍ରୀଲଙ୍କାର କ୍ୟାବିନେଟ ଘୋଷଣା କରିଛି। ଏହି ପାଇଲଟ ପ୍ରକଳ୍ପ ଅଧୀନରେ ଭାରତ, ଚାଇନା, ରୁଷିଆ, ମାଲେସିଆ, ଜାପାନ, ଇଣ୍ଡୋନେସିଆ ଏବଂ ଥାଇଲ୍ୟାଣ୍ଡର ନାଗରିକମାନଙ୍କ ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭିଜା ଫ୍ରି’ ଏଣ୍ଟ୍ରି ମିଳିବ। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରୀ ଏହି ସୂଚନା ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଅଲି ସାବରୀ ଏକ ବିବୃତ୍ତିରେ କହିଛନ୍ତି, ଏହା ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାଇଲଟ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେବ।

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ଏହି ଦେଶରୁ ପର୍ଯ୍ୟଟକମାନେ ଶ୍ରୀଲଙ୍କା ପରିଦର୍ଶନ ପାଇଁ କୌଣସି ଶୁଳ୍କ ବିନା ଭିଜା ପାଇପାରିବେ। ୨୦୧୯ରେ ଇଷ୍ଟର ଦିନରେ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିଲା। ଏହି ବିସ୍ଫୋରଣରେ ୧୧ ଜଣ ଭାରତୀୟଙ୍କ ସମେତ ୨୭୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୫୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥି ସହିତ କରୋନା ମହାମାରୀ ଏବଂ ପରେ ଦେଶରେ ଅର୍ଥନୈତିକ ସଙ୍କଟ ଯୋଗୁ ପର୍ଯ୍ୟଟକଙ୍କ ଗତିବିଧି ବୃଦ୍ଧି ହୋଇପାରିଲା ନାହିଁ।

Share