ଇସ୍ତଫା ଦେଲେ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନର

କଲମ୍ବୋ,୪।୪: ଶ୍ରୀଲଙ୍କା ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ଏହାର କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାନୀତି ସମ୍ପର୍କିତ ନିଷ୍ପତ୍ତି ନେବାର ଦିନକ ପୂର୍ବରୁ ଗଭର୍ନର ଅଜିଥ ନିଭାର୍ଡ କାବ୍ରାଲ୍‌ ଇସ୍ତଫା ଦେଇଛନ୍ତି। ଦେଶର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେବା ପରେ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ମଙ୍ଗଳବାର ମୁଦ୍ରାନୀତି ଘୋଷଣା ବେଳେ ଶ୍ରୀଲଙ୍କା ମୁଦ୍ରାକୁ ସ୍ଥିର ରଖିବା ଲାଗି ମୁଖ୍ୟ ସୁଧ ହାର ୨ ପ୍ରତିଶତ ବଢ଼ାଯାଇପାରେ ବୋଲି ଆଶା କରାଯାଉଛି। ଗତ ମାସଠାରୁ ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ଆମେରିକା ଡଲାର ମୂଲ୍ୟ ତୁଳନାରେ ୩୦ ପ୍ରତିଶତରୁ ଅଧିକ ହ୍ରାସ ପାଇଲାଣି। ଅଜିଥଙ୍କ ଇସ୍ତଫା ପରେ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ କିଏ କେନ୍ଦ୍ରୀୟ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Share