Categories: ଜାତୀୟ

ଶ୍ରୀଲଙ୍କା ସଙ୍କଟ: କେନ୍ଦ୍ର ଡାକିଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୮ା୭: ଶ୍ରୀଲଙ୍କାରେ ଉପୁଜିଥିବା ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ରବିବାର ସୂଚନା ଦେଇଛନ୍ତି। ଉକ୍ତ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଯୋଗଦେଇ ସବୁ ଦଳର ନେତାମାନଙ୍କୁ ଶ୍ରୀଲଙ୍କା ସ୍ଥିତି ଉପରେ ଅବଗତ କରାଇବେ। ପଡ଼ୋଶୀ ଦେଶର ଏହି ସଙ୍କଟ ସମୟରେ ଭାରତ ହସ୍ତକ୍ଷେପ କରିବା ଉଚିତ ବୋଲି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ଆୟୋଜିତ ସର୍ବଦଳୀୟ ବୈଠକରେ ତାମିଲନାଡୁର ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେ ପକ୍ଷରୁ ଦାବି କରାଯାଇଥିଲା। ବିଶେଷକରି ଶ୍ରୀଲଙ୍କାରେ ରହୁଥିବା ତାମିଲମାନଙ୍କ ସ୍ଥିତି ପ୍ରସଙ୍ଗ ଉଭୟ ଦଳ ଉଠାଇଥିଲେ। ଅନ୍ୟପକ୍ଷେ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ କଂଗ୍ରେସ ଟାର୍ଗେଟ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍‌ କରିଛନ୍ତି, ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ପ୍ରଧାମନ୍ତ୍ରୀଙ୍କ ଅନୁପସ୍ଥିତ ରହିବା ‘ଅସଂଦୀୟ’ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Share