ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୯।୫: ଦେଶରେ ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍‌ସେ ସୋମବାର ଇସ୍ତଫା ଦେଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ବିରୋଧୀଙ୍କ ଦାବିରେ ରାଜପାକ୍‌ସେ ମୁଣ୍ଡ ନୁଆଁଇ ଏହି ପଦକ୍ଷେପ ନେଇଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ ସ୍ବାର୍ଥ ପାଇଁ ସେ ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ତାଙ୍କ ସାନଭାଇ ତଥା ରାଷ୍ଟ୍ରପତି ଗୋତବାୟା ରାଜପକ୍‌ସେଙ୍କ ଉପରେ ମଧ୍ୟ ଚାପ ବଢିଛି।
ଇସ୍ତଫା ଦେବା ପୂର୍ବରୁ ମହିନ୍ଦ୍ରା ରାଜପାକ୍‌ସେ ଟୁଇଟ କରି କହିଛନ୍ତି, ଶ୍ରୀଲଙ୍କାରେ ଭାବପ୍ରବଣତାର ଜୁଆର ବଢୁଛି, ମୁଁ ସାଧାରଣ ଜନତାଙ୍କୁ ନିବେଦନ କରୁଛି ଯେ ହିଂସା ଦ୍ୱାରା କେବଳ ହିଂସା ବ୍ୟାପିବ। ଏକ ଅର୍ଥନୈତିକ ସଙ୍କଟରେ, ଆମକୁ ଏକ ଅର୍ଥନୈତିକ ସମାଧାନ ଆବଶ୍ୟକ, ଯାହା ଏହି ପ୍ରଶାସନ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଗତ କିଛିଦିନ ହେବ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି। ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଥିଲା। ଏହାକୁ ବିରୋଧ କରି ଲୋକେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ। ପ୍ରାୟ ମାସେରୁ ଅଧିକ ହେବ ଦେଶରେ ଆନ୍ଦୋଳନ ଜାରି ରହିଛି। ଏଥିସହ ଦେଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ରାଜପାକ୍‌ସେଙ୍କ ସମର୍ଥକମାନେ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୬ ଜଣ ଆହତ ହୋଇଥିବା ଜଣାପଡିଛି।

Share