ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଖଲ କଲେ ବିକ୍ଷୋଭକାରୀ

କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ସଙ୍କଟ ଜାରି ରହିଛି। ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରାଯାଇଛି। ବୁଧବାର ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଖଲ କରିଛନ୍ତି। ବିକ୍ଷୋଭକାରୀମାନେ କାର୍ଯ୍ୟାଳୟ ଛାତ ଉପରେ ଶ୍ରୀଲଙ୍କା ପତାକା ଉଡାଇଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପ୍ରାୟ ୩୦ ଜଣ ବିକ୍ଷୋଭକାରୀ ଆହତ ହୋଇଛନ୍ତି।
କାର୍ଯ୍ୟକାରୀ ରାଷ୍ଟ୍ରପତି ୱିକ୍ରମସିଂଘେ କହିଛନ୍ତି, ବିକ୍ଷୋଭକାରୀଙ୍କ ମୁକାବିଲା ପାଇଁ ସେନା ଏବଂ ପୋଲିସକୁ ସମସ୍ତ ସ୍ବାଧୀନତା ଦିଆଯାଇଛି। ଦେଶର ସୁରକ୍ଷା ଏଜେନ୍ସିମାନେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଫେରାଇ ଆଣିବା ପାଇଁ ଯାହା ସମ୍ଭବ ତାହା କରିବା ଉଚିତ୍‌।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ମାର୍ଚ୍ଚରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବି କରିଆସୁଥିଲେ ବିରୋଧୀ। ମାସ ମାସ ଧରି ଆନ୍ଦୋଳନ ପରେ ବି ସେ ଗାଦି ନ ଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ। ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ସରକାରୀ ବାସଭବନ ଛାଡ଼ି ପଳାଇଥିଲେ।

Share