ଶ୍ରୀଲଙ୍କା ସଙ୍କଟ: ଆକ୍ସନ ମୁଡରେ ସେନା

କଲମ୍ବୋ,୨୨ ।୭: ଶ୍ରୀଲଙ୍କା କିଛି ମାସ ହେବ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହାକୁ ନେଇ ପ୍ରଦର୍ଶନକାରୀଙ୍କ ବିରୋଧ ବି ଜାରି ରହିଛି । ଏହି ପ୍ରଦର୍ଶନ ଏତେ ତୀବ୍ର ହୋଇଛି ଯେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକସେଙ୍କୁ ଦେଶ ଛାଡିବାକୁ ବାଧ୍ୟ କରାଯାଇଛି । ଏହାପରେ ରାନିଲ ବିକ୍ରମାସିଂଘେ ହୋଇଛନ୍ତି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ହେଲେ ଶ୍ରୀଲଙ୍କାରେ ବିରୋଧ ପ୍ରଦର୍ଶନ ଥମିନାହିଁ । ଲୋକେ ଏବେ ବିକ୍ରମାସିଂଘେଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାୀମାନେ କହିଛନ୍ତି ବିକ୍ରମାସିଂଘେ ରାଜାପାକସେ ପରିବାରର ଖୁବ୍ ନିକଟତର । ଏବେ ଏହାକୁ ନେଇ ସେନା କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ରାଷ୍ଟ୍ରପତି ସଚିବାଳୟ ବାହାରେ କିଛିଦିନ ହେବ ପ୍ରଦର୍ଶନକାରୀମାନେ ଅଡି ବସିଛନ୍ତି । ଏବେ ସେଠାରୁ ସେମାନଙ୍କ୍‌ୁ ହଟାଇବା କାମ ଆରମ୍ଭ ହୋଇଛି । କୁହାଯାଉଛି କି ରାନିଲ ବିକ୍ରମାସିଂଘେ ଉଗ୍ର ପ୍ରଦର୍ଶନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ରାଷ୍ଟ୍ରପତି ଭବନ ନିକଟରେ ଯେଉଁ ପ୍ରଦର୍ଶନକାରୀଙ୍କୁ ଦେଖିବାକୁ ମିଳୁଛି ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରାଯାଉଛି । ପୋଲିସ କେତେଜଣଙ୍କୁ ଗିରଫ ବି କରି ସାରିଲାଣି ।
ଏପଟେ ରାଷ୍ଟ୍ରପତି ଭବନ ନିକଟରେ ପ୍ରଦର୍ଶନକାରୀଙ୍କ ସମସ୍ତ ଟେଣ୍ଟକୁ ବି ହଟାଇ ଦିଆଯାଇ ସାରିଥିବା ସୂଚନା ମିଳିଛି ।

Share