କଲମ୍ବୋ, ୧।୯: ଶ୍ରୀଲଙ୍କାର ମୁଦ୍ରା ମୂଲ୍ୟ ଅତ୍ୟଧିକ ହ୍ରାସ ପାଇବାରୁ ସେଠାରେ ଖାଦ୍ୟସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ଫଳରେ ଶ୍ରୀଲଙ୍କା ସରକାର ଦେଶରେ ଆର୍ଥିକ ଜରୁରୀ ସ୍ଥିତି ଜାରି କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ଚାଉଳ, ଚିନି ଆଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଣକୁ ନିୟନ୍ତ୍ରଣ କରିବା ସହ ମୂଲ୍ୟ ନିର୍ଦ୍ଧାରଣ କରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଚଳିତ ବର୍ଷ ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ଆମେରିକା ଡଲାର ତୁଳନାରେ ୭.୫ ପ୍ରତିଶତ ହ୍ରାସ ପାଇଛି। ମଙ୍ଗଳବାର ଦେଶରେ ଜରୁରୀ ସ୍ଥିତି ଜାରି ହେବା ସହ ଜଣେ ପୂର୍ବତନ ସେନା ଜେନେରାଲଙ୍କୁ ଜରୁରୀ ସେବା କମିଶନର ନିଯୁକ୍ତ କରାଯାଇଛି। ଯୋଗାଣକାରୀ ଓ ବ୍ୟବସାୟୀମାନେ ଗଚ୍ଛିତ ରଖିଥିବା ସାମଗ୍ରୀକୁ ସେ ଜବତ କରିପାରିବେ।