ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି

କଲମ୍ବୋ,୨ା୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବାବେଳେ ଶୁକ୍ରବାର ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ ସେଠାରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ଇତି ମଧ୍ୟରେ ଓ୍ବେଷ୍ଟର୍ନ ପ୍ରୋଭିନ୍ସରେ ସାମୟିକଭାବେ କର୍ଫ୍ୟୁ ଜାରି କରାଯାଇଛି। ତୁରନ୍ତ କ୍ୟାବିନେଟ ଭଙ୍ଗ କରି ଅନ୍ତରିଣ ସରକାର ଗଠନ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ସ୍ବୀକୃତି ପ୍ରାପ୍ତ ୧୧ ଗୋଟି ଦଳ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। ଦେଶରେ ଆର୍ଥିକ ସଙ୍କଟ ଉତ୍କଟ ହୋଇଥିବାରୁ ବର୍ତ୍ତମାନର କ୍ୟାବିନେଟ ରହିପାରିବ ନାହିଁ ବୋଲି ସେମାନେ ପରାମର୍ଶ ଦେଇଥିଲେ। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ଇନ୍ଧନ, ଖାଦ୍ୟ ଓ ଔଷଧର ଘୋର ଅଭାବ ଦେଖାଦେଇଛି। ଇନ୍ଧନ ଅଭାବରୁ ସେଠାରେ ଦୈନିକ ୧୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଦ୍ୟୁତ କାଟ ହେଉଛି। ଏଥିରେ ଅତିଷ୍ଠ ଦେଶବାସୀ ଆନ୍ଦୋଳନକୁ ଓହ୍ଲାଇବା ସହ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି।
ଗୁରୁବାର ବିଳମ୍ବିତ ରାତିରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଗୋଟାବାୟାଙ୍କ କଲମ୍ବୋସ୍ଥିତ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭବେଳେ ଉତ୍ତ୍ୟକ୍ତ ଲୋକେ ବସ୍‌ ଜାଳି ଦେଇଥିଲେ। ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ଭିତରେ ୫ ପୋଲିସ ଅଧିକାରୀ ଆହତ ହୋଇଥିବାବେଳେ ପୋଲିସ ୫୩ ଜଣଙ୍କୁ ଗିରଫ କରିଛି। । ବିକ୍ଷୋଭ କାରଣରୁ ରାଜଧାନୀ କଲମ୍ବୋର ୪ ପ୍ରମୁଖ ଅଞ୍ଚଳ ମାଉଣ୍ଟ ଲାଭିନିଆ, କେଲାନିୟା, ସାଉଥ୍‌ କଲମ୍ବୋ ସେଣ୍ଟର ଏବଂ ଉତ୍ତର କଲମ୍ବୋରେ ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଶୁକ୍ରବାର କର୍ଫ୍ୟୁ ହଟିଥିଲା।
ଦେଶରେ ଖାଦ୍ୟ ସାଙ୍ଗକୁ ଆବଶ୍ୟକ ସମାଗ୍ରୀର ଦର ବୃଦ୍ଧି ଏବଂ ଅଭାବ ଦେଖାଯାଇଛି। ଲୋକେ ଖାଦ୍ୟ ଅଭାବ କାରଣରୁ ଦେଶ ଛାଡୁଥିବା ଦେଖିବାକୁ ମିଳିଛି। ସଙ୍କଟରୁ ବାହାରିବା ପାଇଁ ଶ୍ରୀଲଙ୍କା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସାହାଯ୍ୟ ମାଗୁଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହ ଆଲୋଚନା ଜାରି ରଖିଛି। ଶ୍ରୀଲଙ୍କାରେ ଥିବା ତାମିଲମାନଙ୍କୁ ସହାୟତା ଦେବାପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।

ବିକ୍ଷୋଭ ବେଳେ ହଟିଥିବା ହିଂସା ପଛରେ ଅଜ୍ଞାତ କଠୋରପନ୍ଥୀଙ୍କ ହାତ ଅଛି। ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି, ଯାହାଙ୍କ ମଧ୍ୟରୁ ଅନେକେ ସଙ୍ଗଠିତ କଠୋରପନ୍ଥୀ ରୂପେ ଚିହ୍ନଟ ହୋଇଛନ୍ତି। ସେମାନେ ଶ୍ରୀଲଙ୍କାେରେ ଆରବ ବିପ୍ଳବ ଭଳି ଆନ୍ଦୋଳନର ନେତୃତ୍ୱ ନେବାକୁ ଅଣ୍ଟା ଭିଡ଼ିଥିଲେ। ଲୋକଙ୍କୁ ଉତ୍ତେଜିତ କରି ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ଦଙ୍ଗାକୁ ସୋସିଆଲ ମିଡିଆରେ ଗତି ଦିଆଯାଇଥିବା ଅଟକ ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେଙ୍କ ଅଫିସ୍‌ ପକ୍ଷରୁ ଏକ ବିବୃତିିରେ କୁହାଯାଇଛି।

Share