ଛୁଟି ନେଇ ଚାଷ କର

କଲମ୍ବୋ, ୧୫ା୬: ଅର୍ଥ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରଦ୍ୱୀପ ଶ୍ରୀଲଙ୍କା ସରକାର ପ୍ରଶାସନିକ ଅଧିକାରୀଙ୍କୁ ଏବେ ଚାଷ କରିବା ପାଇଁ ପ୍ରୋତ୍ସହିତ କରୁଛନ୍ତି। ଅତିରିକ୍ତ ଛୁଟି ନେଇ ସେମାନେ ନିଜ ବାଡ଼ି ବଗିଚାରେ ଚାଷ କରି ଫସଲ ଅମଳ କରିବା ପାଇଁ ପରାମର୍ଶ ଦେଉଥିବା ଜଣାପଡ଼ିଛି। କାରଣ ବିଦେଶୀ ମୂଦ୍ରା ଅଭାବ ଯୋଗୁ ଏହି ଦେଶ ବାହାରୁ କୌଣସି ସାମଗ୍ରୀ ଆମଦାନୀ କରିବା ସ୍ଥିତିରେ ନାହିଁ। ଖାଦ୍ୟ, ଔଷଧ, ପେଟ୍ରୋଲ ଆଦି ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମ୍ରଗୀ ପାଇବାରୁ ମଧ୍ୟ ଦେଶବାସୀ ବଞ୍ଚିତ ହେଉଛନ୍ତି। ତେଣୁ ସରକାରୀ ଅଧିକାରୀମାନେ ସପ୍ତାହକୁ ଆଉ ଗୋଟିଏ ଦିନ ଛୁଟି ନେଇ ଚାଷ କରିବା ଉଚିତ ବୋଲି ସରକାର କହିଛନ୍ତି। ଏଥିପାଇଁ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦିଆଯିବ ବୋଲି ଶ୍ରୀଲଙ୍କା କ୍ୟାବିନେଟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏଥିସହ ଉକ୍ତ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ୩ମାସ ପର୍ଯ୍ୟନ୍ତ ଶୁକ୍ରବାର ଜରୁରୀ ସେବା ଯୋଗାଉଥିବା ବିଭାଗ ବ୍ୟତୀତ ସମସ୍ତ ସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ ମନ୍ତ୍ରୀମଣ୍ଡଳ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ସୁଦ୍ଧା ସରକାର ଖାଦ୍ୟ ସଙ୍କଟ ବିଷୟରେ ଚେତାବନୀ ଦେବା ପରଠାରୁ ଅଧିକାରୀମାନେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବାର ଉପାୟ ଖୋଜୁଛନ୍ତି।

Share