ଶ୍ରୀଲଙ୍କା ଦେବାଳିଆ

କଲମ୍ବୋ, ୧୩ା୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫୧ ବିଲିୟନ ଡଲାର ଋଣ ଶୁଝିବାରେ ଶ୍ରୀଲଙ୍କା ଅସମର୍ଥ ବୋଲି କହି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦେଶକୁ ଦେବାଳିଆ ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅନ୍ୟ ଦେଶର ସରକାରଙ୍କ ସମେତ ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ ଏବଂ ଋଣଦାତାଙ୍କ କରଜ ଶୁଝିବା ପରିସ୍ଥିତିରେ ଶ୍ରୀଲଙ୍କା ନାହିଁ। ଗଚ୍ଛିତ ବିଦେଶୀ ମୁଦ୍ରା ପ୍ରାୟ ଶେଷ ହୋଇଯାଇଛି। ତେଣୁ ଋଣଦାତାମାନେ ସେମାନଙ୍କ ଅର୍ଥ ବାବଦରେ ସୁଧ ନେଇପାରିବେ କିମ୍ବା ବଦଳରେ ଶ୍ରୀଲଙ୍କା ମୁଦ୍ରା ଗ୍ରହଣ କରିବେ। ଶ୍ରୀଲଙ୍କା ଅର୍ଥନୀତି ଭୁଶୁଡ଼ି ଯାଇଥିବାର ଦେଶର ମୁଦ୍ରା ଦୁର୍ବଳ ହୋଇଯାଇଛି। ଫଳରେ ଋଣଦାତାମାନେ ଏହି ମୁଦ୍ରାରେ ମଧ୍ୟ ଋଣ ଅର୍ଥ ଫେରିପାଇବାକୁ ଆଗ୍ରହୀ ନାହାନ୍ତି। ଦେଶରେ ଖାଦ୍ୟ, ଇନ୍ଧନ ଆଦି ଆବଶ୍ୟକତା ପୂରଣ ନିମନ୍ତେ ବାହାରୁ ଅଧିକ ଋଣ ଉଠାଇବା ଉପରେ ଇଣ୍ଟରନ୍ୟାଶନାଲ ରେଟିଂ ଏଜନ୍ସିଗୁଡ଼ିକ ଶ୍ରୀଲଙ୍କା ଉପରେ କଟକଣା ଲଗାଇଥିଲେ। ଋଣ ଶୁଝିବା ନିମନ୍ତେ ଶ୍ରୀଲଙ୍କା ଚାଇନା ଏବଂ ଭାରତଠାରୁ ସହାୟତା ଆଶା କରିଥିଲା। କିନ୍ତୁ ଉଭୟ ଦେଶ ସେମାନଙ୍କଠାରୁ ସାମଗ୍ରୀ କ୍ରୟ କରିବା ନିମନ୍ତେ ଅଧିକ କ୍ରେଡିଟ୍‌ ଲାଇନ୍‌ ଅଫର କରିଥିଲେ। ଆକଳନ ଅନୁସାରେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଶ୍ରୀଲଙ୍କା ନିକଟରେ ମାତ୍ର ୧.୯ ବିଲିୟନ୍‌ ଡଲାର ଥିବାବେଳେ ଏହି ଦେଶକୁ ଚଳିତ ବଷର୍ର୍ ପ୍ରାୟ ୭ ବିଲିୟନ୍‌ ଡଲାର ଶୁଝିବାକୁ ଥିଲା।
ସ୍ବାଧୀନତା ପରଠାରୁ ଶ୍ରୀଲଙ୍କାରେ ସବୁଠାରୁ ବଡ଼ ଧରଣର ଆର୍ଥିକ ସଙ୍କଟ ଦେଖାଦେଇଛି। ଫଳରେ ଦେଶର ପ୍ରାୟ ୨.୨ କୋଟି ଜନସଂଖ୍ୟା ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି। ବିଦେଶୀ ମୁଦ୍ରା ଶେଷ ହୋଇଯାଇଥିବାରୁ ବାହାରୁ କୌଣସି ସାମ୍ରଗ୍ରୀ ଆମଦାନୀ ହୋଇପାରୁନାହିଁ। ଫଳରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନାହିଁ। ଖାଦ୍ୟ, ପାନୀୟ, ବିଦ୍ୟୁତ୍‌, ଔଷଧ ଆଦିର ଅଭାବ ଦେଖାଦେଇଥିବାରୁ ଦରଦାମ୍‌ ଆକାଶଛୁଆଁ ହୋଇଛି। ଗୋଟାବାୟା ରାଜ୍‌ପାକ୍‌ସେ ସରକାରଙ୍କ ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ଜାରି ରହିଛି।

Share