ଚାଇନାର ଋଣ କୂଟନୀତିରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୧ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଆର୍ଥିକ ସଙ୍କଟ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଦ୍ୱୀପରାଷ୍ଟ୍ରରେ ନିଜ ପ୍ରତିରକ୍ଷା ସ୍ଥିତିକୁ ମଜଭୁତ କରିବା ପାଇଁ ବେଜିଂ କଲମ୍ବୋକୁ ଋଣ ଜାଲରେ ଛନ୍ଦି ଦେଇଥିଲା। ଚାଇନା ହେଉଛି ଶ୍ରୀଲଙ୍କାକୁ ଦ୍ୱିତୀୟ ବୃହତ୍‌ ଋଣ ପ୍ରଦାନକାରୀ ରାଷ୍ଟ୍ର। ୨୦୧୯ରେ ଶ୍ରୀଲଙ୍କାର ମୋଟ ବିଦେଶୀ ଋଣର ୧୦%ରୁ ଅଧିକ ଚାଇନା ଦେଇଥିଲା ବୋଲି ବହିର୍ବ୍ୟାପାର ନୀତି ସମ୍ପର୍କିତ ଏକ ସ୍ବାଧୀନ ଥିଙ୍କଟ୍ୟାଙ୍କ ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀସ୍ଥିତ ରେଡ୍‌ ଲାନ୍‌ଟର୍ନ ଆନାଲାଟିକା ପକ୍ଷରୁ କୁହାଯାଇଛି ଯେ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ଦେଖି ଚାଇନା କୂଟିଳ ‘ଡେଟ୍‌ ଟ୍ରାପ୍‌ ଡିପ୍ଲୋମାସି’ ଆପଣାଇଥିଲା।

ଦୁର୍ବଳ ଶାସନ, ସ୍ବଚ୍ଛତାର ଅଭାବ, ଚାଇନାର ଋଣ ଜାଲ ଓ ଦୁର୍ନୀତିରେ ଶ୍ରୀଲଙ୍କା ଛନ୍ଦି ହୋଇଯିବା ପରେ ଚାଇନା ଏହାର ଫାଇଦା ଉଠାଇ ଋଣ ବୋଝ ବଢ଼ାଇଦେଇଥିବାେଳେ ଭାରତ ସହଯୋଗର ହାତ ବଢ଼ାଇଆସିଛି। ଶ୍ରୀଲଙ୍କାକୁ ନୂଆଦିଲ୍ଲୀ ଗ୍ୟାସୋଲିନ ଆମଦାନୀ ପାଇଁ ୫୦୦ ନିୟୁତ ଡଲାର ଏବଂ ଭାରତରୁ ଜରୁରୀ ସାମଗ୍ରୀ ନେବା ପାଇଁ ଅତିରିକ୍ତ ୧ ବିଲିୟନ୍‌ ଡଲାର ଋଣ ଦେଇଛି।

ଏହାବାଦ୍‌ ଭାରତ ୨.୪ ବିଲିୟନ୍‌ ଡଲର ମୂଲ୍ୟର ଅନ୍ୟାନ୍ୟ ସହାୟତା ଦେଇଛି। ତେବେ ଚାଇନାର ଋଣ ଜାଲରେ ଫସିରହିଥିବା ଶ୍ରୀଲଙ୍କାକୁ ଭାରତର ଏହି ସହାୟତା ରକ୍ଷା କରିପାରି ନାହିଁ। ଶ୍ରୀଲଙ୍କାକୁ ଚାଇନାର ଆର୍ଥିକ ସହାୟତା ଭାରତ ମହାସାଗରରେ ନୂଆଦିଲ୍ଲୀ ବିରୋଧୀ ସମର୍ଥନ ହାସଲ ପାଇଁ ଏକ ଯୋଜନା ଥିଲା। କଲମ୍ବୋର ପତନରୁ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଶିକ୍ଷାଲାଭ କରି ଚାଇନାର ଜାଲରେ ନ ଫସିବା ଉଚିତ। ଅନ୍ୟ ମହାଶକ୍ତିଗୁଡ଼କ ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ)କୁ ଅଟକାଇବା ପାଇଁ ଅନୁନ୍ନତ ରାଷ୍ଟ୍ରଗୁଡ଼ିକରେ ବିକାଶମୂଳକ ଯୋଜନା ଓ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିବା ଉଚିତ ।

Share