Categories: ଖେଳ

ଡବ୍ଲ୍ୟୁଟିସିରେ ଭାରତକୁ ପଛରେ ପକାଇଲା ଶ୍ରୀଲଙ୍କା

ଗାଲେ,୨୫।୧୧: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୧୮୭ ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ଏହି ବିଜୟ ସହ ଘରୋଇ ଶ୍ରୀଲଙ୍କା ଦଳ ସିରିଜ୍‌ରେ ୧-୦ ଅଗ୍ରଣୀ ହାସଲ କରିଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସାଇକେଲରେ ଏହା ଶ୍ରୀଲଙ୍କାର ପ୍ରଥମ ବିଜୟ। ଏହି ବିଜୟ ସହ ଶ୍ରୀଲଙ୍କା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ତାଲିକାରେ ଭାରତକୁ ପଛରେ ପକାଇ ଶୀର୍ଷକୁ ଉଠିଛି।

ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଗୁରୁବାର ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲର ଫଟୋ ଶେୟାର କରାଯାଇଛି। ଏହାର କ୍ୟାପଶନରେ ଶ୍ରୀଲଙ୍କା ଶୀର୍ଷରେ ଥିବା ଉଲ୍ଲେଖ କରାଯାଇଛି।

ଶୀର୍ଷରେ ଥିବା ଶ୍ରୀଲଙ୍କା ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ଭାରତ ଦୁଇଟି ମ୍ୟାଚ୍‌ ଜିତିଛି। ଟିମ୍‌ ଇଣ୍ଡିଆ ତୁଳନାରେ କମ୍‌ ମ୍ୟାଚ୍‌ ଜିତିଥିଲେ ମଧ୍ୟ ଶ୍ରୀଲଙ୍କା ପାଖରେ ସର୍ବାଧିକ ୧୦୦ ପିସିଟି(ପଏଣ୍ଟ ପ୍ରତିଶତ) ରହିଛି। କାରଣ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଡବ୍ଲ୍ୟୁଟିସିର ଦ୍ୱିତୀୟ ସାଇକେଲରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳି ସେଥିରେ ବିଜୟ ଲାଭ କରିଛି।

ଅନ୍ୟପକ୍ଷରେ ଭାରତ ଦ୍ୱିତୀୟ ସାଇକେଲରେ ଦୁଇଟି ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏରେ ପରାଜୟ ଓ ଅନ୍ୟଟି ଡ୍ର’ ରଖିବାକୁ ସକ୍ଷମ ହୋଇଛି। ଏଣୁ ଭାରତର ପଏଣ୍ଟ ପ୍ରତିଶତ ୫୪.୧୭ ରହିଛି। ତାଲିକାର ତୃତୀୟ ସ୍ଥାନରେ ରହିଛି ପାକିସ୍ତାନ (୫୦ ପ୍ରତିଶତ)। ପାକିସ୍ତାନ ଦୁଇଟି ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏ ଜିତିଛି।

Share