Categories: ଖେଳ

ଆଫଗାନିସ୍ତାନକୁ ହରାଇଲା ଶ୍ରୀଲଙ୍କା

ଦୁବାଇ,୪ା୯: ଏସଆ କପ୍‌ ଟି୨୦ କ୍ରିକେଟ ମୁକାବିଲାର ସୁପର-୪ ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା। ୧୭୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ୬ଟି ବଲ୍‌ ବାକିଥାଇ ୬ ଉଇକେଟ ହରାଇ ଜିତି ନେଇଛି। ଏହା ସହିତ ଲିଗ୍‌ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେଇଛି। ଭାନୁକା ରାଜପକ୍ଷା ୧୪ ବଲରୁ ଦ୍ରୁତ ୩୧ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଶାଲ ମେଣ୍ଡିସ୍‌(୩୬), ପାଥୁମ୍‌ ନିସଙ୍କା(୩୫) ଓ ଧନୁଷ୍କା ଗୁଣଥିଲକା(୩୩) ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ୧୯ ଓଭରର ଅନ୍ତିମ ବଲ୍‌ରେ ଚୌକା ମାରି ହସରଙ୍ଗା(୧୬) ଦଳକୁ ଜିତାଇଥିଲେ। ରାଜପକ୍ଷେଙ୍କ ଇନିଂସରେ ୪ ଚୌକା ଓ ୧ ଛକା ସାମିଲ ଥିଲା। ଶ୍ରୀଲଙ୍କା ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ। ତେବେ ୫ ବ୍ୟାଟରଙ୍କ ଉପଯୋଗୀ ଅବଦାନ ରହିଥିଲା। ୧୯ ବଲରୁ ୩୬ ରନ୍‌ କରିଥିବା କୁଶାଲ ୨ଚୌକା ଓ ୩ ଛକା ମାରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜିବୁର ରେହମାନ ଓ ନବୀନ ଉଲ ହକ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଶିଦ୍‌ ଖାନ୍‌ ଓ ମହମ୍ମଦ ନବି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଟସ୍‌ ଜିତି ଶ୍ରୀଲଙ୍କା ବୋଲିଂ କରିଥିବା ବେଳେ ଓପନର ରହମାନଓ୍ବାଲା ଗୁରବାଜ ୮୪ ରନ୍‌ର ଇନିଂସ ସହିତ ଆଫଗାନିସ୍ତାନ ୧୭୫ ରନ କରିଥିଲା। ହଜରତଉଲ୍ଲା ଜଜାଇ(୧୫) ଓ ଗୁରବାଜ ପ୍ରଥମ ଉଇକେଟରେ ୪୬ ରନ୍‌ ଯୋଡ଼ିଥିଲେ। ଜଜାଇଙ୍କୁ ବୋଲ୍ଡ କରି ଦିଲଶାନ ମଧୁଶଙ୍କା ଏହି ଯୋଡ଼ି ଭାଙ୍ଗିଥିଲେ। ଇବ୍ରାହିମ୍‌ ଜାଦ୍ରାନ(୪୦)ଙ୍କୁ ସାଥୀ କରି ତୃତୀୟ ଉଇକେଟରେ ଗୁରବାଜ ୯୩ ରନ୍‌ ଯୋଡ଼ିଥିଲେ। ଗୁରବାଜ ୪୫ ବଲ ଖେଳି ଧୂଆଁଧାର ୮୪ ରନ୍‌ କରିଥିଲେ। ଏହି ଇନିଂସରେ ୪ ଚୌକା ଓ ୬ ଛକା ସାମିଲ ରହିଥିଲା। ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା ସର୍ବାଧିକ ଦୁଇଟି ଉଇକେଟ ନେଇଛନ୍ତି। ଆସିଥା ଫର୍ନାଣ୍ଡୋ ଓ ମହୀଷ ତୀକ୍ଷଣା ଅନ୍ୟ ଦୁଇଟି ଉଇକେଟ ସେମାନଙ୍କ ମଧ୍ୟରେ ବାଣ୍ଟି ନେଇଥିଲେ।

Share