Categories: ଜାତୀୟ

ବିଦାୟ ଜେନେରାଲ: ଶେଷ ସାଲ୍ୟୁଟ ଦେବେ ଶ୍ରୀଲଙ୍କା, ନେପାଳ, ଭୁଟାନ, ବାଂଲାଦେଶର ସେନା ଅଧିକାରୀ

ନୂଆଦିଲ୍ଲୀ,୧୦ ।୧୨: ରାଜଧାନୀ ଦିଲ୍ଲୀର ୩, ରାଜାଜୀ ମାର୍ଗରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ରଖାଯାଇଛି । ଦର୍ଶନ ପାଇଁ ପୂର୍ବରୁ ଏଠାରେ ବିଦେଶରୁ ବଡ ବଡ ବ୍ୟକ୍ତିତ୍ୱ ପହଞ୍ଚି ସାରିଛନ୍ତି । ରାୱତଙ୍କୁ ଶେଷ ବିଦାୟ ଦେବା ଲାଗି ପଡୋଶୀ ଦେଶର ସେନା ମୁଖ୍ୟଙ୍କ ସହ ଅଧିକାରୀମାନେ ସାମିଲ ହେବେ । ନେପାଳ ଓ ଭୁଟାନ ଭଳି ପଡୋଶୀ ଦେଶ ସହ ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସିର ଗଭୀର ସମ୍ପର୍କ ରହିଛି । ଏହି ପଡୋଶୀ ଦେଶ ବ୍ୟତୀତ ଅନ୍ୟ ଦେଶ ଯାହାର ସେନା ଓ ସୁରକ୍ଷା ସହ ଜଡିତ ଲୋକେ ଦିଲ୍ଲୀରେ ରହୁଛନ୍ତି ସେମାନେ ବି ଜେନରାଲ ବିପିନ ରାୱତଙ୍କୁ ଶେଷ ବିଦାୟ ଦେବାକୁ ପହଞ୍ଚିବେ ।
ସୂଚନାଯୋଗ୍ୟ, ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଶ୍ରୀଲଙ୍କା, ନେପାଳ ଓ ଭୁଟାନ ତା’ର ଶୀର୍ଷ ସେନା ଅଧିକାରୀଙ୍କୁୁ ପଠାଉଛି । ଏପଟେ ବାଂଲାଦେଶର ଥ୍ରୀ-ଷ୍ଟାର ର‌୍ୟାଙ୍କର ଅଧିକାରୀ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ ବିଦାୟରେ ସାମିଲ ହେବେ । ସେହିପରି ଶ୍ରୀଲଙ୍କାର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଓ ଶ୍ରୀଲଙ୍କା ସେନାର କମାଣ୍ଡର ଜେନେରାଲ ଶାବେନ୍ଦ୍ର ସିଲ୍‌ୱା ଓ ପୂର୍ବତନ ସିଡିଏସ୍ ଏଡମିରାଲ ରବି ବିଜୟଗୁଣରତ୍ନେ ଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଦ ରୟାଲ ଆର୍ମି ଅଫ୍ ଭୁଟାନର ଡେପୁଟି ଚିଫ୍‌(ଅପରେଶନ) ବ୍ରିଗେଡିୟର ଦୋରଜି ରିଂଚେନ ଓ ନେପାଳ ଆର୍ମିର ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ବାଲକୃଷ୍ଣ କାର୍କି ରାୱତଙ୍କୁ ଅନ୍ତିମ ପ୍ରଣାମ କରିବେ ।

Share