ଏବେ ବାହ୍ୟ ସହାୟତା ପାଇବା ଶ୍ରୀଲଙ୍କା ପକ୍ଷେ କଷ୍ଟକର

କଲମ୍ବୋ,୧୧ା୫: ଶ୍ରୀଲଙ୍କାର ସ୍ଥିତି ଅତ୍ୟନ୍ତ ଖରାପ। କାରଣ ଶ୍ରୀଲଙ୍କାରେ ୫୬ ବିଲିୟନ ଡଲାରର ବାହ୍ୟ ଋଣ ରହିଛି। ଏହି ଋଣରେ ଭାରତର ହଜାରେ କୋଟି ଋଣ ମଧ୍ୟ ରହିଛି। ବୈଦେଶିକ ଋଣ ପରିଶୋଧ କରିବାରେ ଏହା ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଶ୍ରୀଲଙ୍କା ସ୍ପଷ୍ଟ କରିଛି। ତେଣୁ ଆଗାମୀ ସମୟରେ ଏହି ସମସ୍ୟା ଅଧିକ ଗମ୍ଭୀର ହୋଇପାରେ। ତେବେ ଶ୍ରୀଲଙ୍କା ଆଇଏମ୍‌ଏଫ୍‌ ସହିତ ଋଣ ବୁଝାମଣା କରୁଛି। କିନ୍ତୁ ଋଣ ପାଇବା ଦିଗରେ ଗୋଟିଏ ବଡ଼ ପ୍ରତିବନ୍ଧକ ରହିଛି।

ଏହି ପ୍ରତିବନ୍ଧକ ହେଉଛି ଶ୍ରୀଲଙ୍କାରେ ସ୍ଥିର ସରକାରଙ୍କ ଅନୁପସ୍ଥିତି। ସ୍ଥିର ସରକାରର ଅଭାବ ହେତୁ ଶ୍ରୀଲଙ୍କା ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛି। ବର୍ତ୍ତମାନ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଘରେ ନିଆଁ ଲାଗିବା ପରେ ରାଜପାକ୍‌ସେ ଏକ ନୌସେନା ବେସ୍‌ରେ ଆଶ୍ରୟ ନେଇଛନ୍ତି। ଏହି ପୂରା ଘଟଣା ପରେ କ୍ରାଇମବ୍ରାଞ୍ଚ ବିଭାଗ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ନିକଟକୁ ଡକାଇ ସେମାନଙ୍କ ବିବୃତ୍ତି ରେକର୍ଡ କରିବାକୁ କହିଛି।

Share