୨୧ ଆବର୍ଜନା କଣ୍ଟେନର ବ୍ରିଟେନ୍‌କୁ ଫେରାଇଲା ଶ୍ରୀଲଙ୍କା

କଲୋମ୍ବୋ, ୨୮।୯: ଶ୍ରୀଲଙ୍କା ବ୍ରିଟେନ୍‌କୁ ୨୧ ଆବର୍ଜନା କଣ୍ଟେନର ଫେରାଇ ଦେଇଛି। ବ୍ରିଟେନ୍‌ରୁ ରିସାଇକ୍ଲିଂ କରାଯିବା ଲାଗି ଏକ ଘରୋଇ କମ୍ପାନୀ ପକ୍ଷରୁ ବିଭିନ୍ନ ସାମଗ୍ରୀ ୨୬୩ କଣ୍ଟେନରରେ ଶ୍ରୀଲଙ୍କା ଆସିଥିଲା। ତେବେ ଯାଞ୍ଚ୍‌ ସମୟରେ ଶ୍ରୀଲଙ୍କା କଷ୍ଟମ ଅଧିକାରୀମାନେ ୨୧ଟି କଣ୍ଟେନରରେ ହସ୍ପିଟାଲ ବର୍ଜ୍ୟ ପଦାର୍ଥ ଏବଂ ପଲିଥିନ ଆବର୍ଜନା ଥିବା ଜାଣିବାକୁ ପାଇଥିଲେ। ଏହାଦ୍ୱାରା ୟୁରୋପିଆନ୍‌ ସଂଘ ଏବଂ ଅନ୍ତର୍ଜାତୀୟ ଅଇନର ଉଲ୍ଲଂଘନ ହେଉଥିବାରୁ କଣ୍ଟେନର ଗୁଡ଼ିକୁ ଫେରାଇ ଦିଆଯାଇଥିବା ଶ୍ରୀଲଙ୍କା କଷ୍ଟମ ବିଭାଗ ପ୍ରବକ୍ତା ସୁନୀଲ ଜୟରତ୍ନେ ସୂଚନା ଦେଇଛନ୍ତି। ୨୦୧୮ରେ କଣ୍ଟେନର ଗୁଡ଼ିକରେ ଆପତ୍ତିଜନକ ଆବର୍ଜନା ଥିତ୍ବା ଜଣାପଡ଼ିଥିଲା। ଏହାକୁ ଫେରାଇବା ଲାଗି କୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା। ଏସମ୍ପର୍କରେ ବ୍ରିଟେନ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତାଙ୍କ ଦେଶ ବେଆଇନ୍‌ ରପ୍ତାନୀ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ। ଏନେଇ ଶ୍ରୀଲଙ୍କା ଅଧିକାରୀଙ୍କ ସହିତ ଆଲୋଚନା ଜାରି ରହିଥିବା ବ୍ରିଟେନ୍‌ କହିଛି। ପୂର୍ବରୁ ଜାନୁୟାରୀରେ ମାଲେସିଆ ମଧ୍ୟ ପ୍ଲାଷ୍ଟିକ୍‌ ଆବର୍ଜନା ଭର୍ତ୍ତି ଥିବା ୪୨ଟି କଣ୍ଟେନର ବ୍ରିଟେନ୍‌କୁ ଫେରାଇ ଦେଇଥିଲା।

Share