ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୯।୭: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ। ସାବରି କହିଛନ୍ତି ଯେ ଶ୍ରୀଲଙ୍କା ଏହାର ଆଞ୍ଚଳିକ ଜଳ ତଥା ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ସର୍ଭେ କରୁଥିବା ବିଦେଶୀ ଅନୁସନ୍ଧାନ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇ ନାହିଁ। ଅଲି ସାବରିଙ୍କ ନିକଟରେ ଜାପାନ ଗସ୍ତ ସମୟରେ ଜାପାନ ଗଣମାଧ୍ୟମ ତାଙ୍କ ଉଦ୍ଧେଶ୍ୟରେ କହିଛି ଯେ ଶ୍ରୀଲଙ୍କା ସାମୁଦ୍ରିକ ଜଳରେ ବିଦେଶୀ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ଶୀଘ୍ର ହଟାଇବ। ଶ୍ରୀଲଙ୍କାର ଏହି ନିଷ୍ପତ୍ତି ଭାରତର ଚିନ୍ତା ବଢାଇ ଦେଇଛି, କାରଣ ଏହା ଚାଇନା ଜାହାଜକୁ ଭାରତୀୟ ଉପକୂଳର ନିକଟତର ହେବାକୁ ସୁଯୋଗ ଦେଇଥାନ୍ତା।
ସେ ରବିବାର କହିଛନ୍ତି ଯେ ଟୋକିଓରେ ଏକ ସାକ୍ଷାତକାର ସମୟରେ ଦେଇଥିବା ବିବୃତ୍ତିକୁ ବିକୃତ ଏବଂ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି। ସାବରି ଶ୍ରୀଲଙ୍କା ଖବରକାଗଜ ଦୈନିକ ମର୍ନିଂ ପୋଷ୍ଟକୁ କହିଛନ୍ତି ଯେ ଚଳିତ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଜଳରେ ବିଦେଶୀ ଜାହାଜ ଚଳାଚଳ ଉପରେ ନିଷେଧାଦେଶ ରହିଛି। ଆମେ ବର୍ଷ ଶେଷରେ ପରିସ୍ଥିତିର ଆକଳନ କରିବୁ, ଯାହା ପରେ ବିଦେଶୀ ଜାହାଜକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ଏହା ସବୁ ପରିସ୍ଥିତି ଉପରେ ନିର୍ଭର କରିବ। ବର୍ତ୍ତମାନ ସୁଦ୍ଧା ସରକାର ଏହି ପ୍ରତିବନ୍ଧକ ହଟାଇବା ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

Share