ଏହି ଦେଶରେ ସ୍କୁଲ ବନ୍ଦ, ଓ୍ବାର୍କ ଫ୍ରମ୍‌ ହୋମ୍‌ରେ କର୍ମଚାରୀ

କଲମ୍ବୋ,୨୭।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୈଦେଶିକ ମୁଦ୍ରାର ଘୋର ଅଭାବ ଯୋଗୁ ଶ୍ରୀଲଙ୍କା ନିଜ ନାଗରିକଙ୍କ ପାଇଁ ଜରୁରୀ ଜିନିଷ ଆମଦାନୀ କରିବାକୁ ମଧ୍ୟ ଅସକ୍ଷମ। ପେଟ୍ରୋଲ-ଡିଜେଲକୁ ନେଇ ଏଭଳି ପରିସ୍ଥିତି ଉପୁଜିଛି ଯେ, ସରକାରଙ୍କୁ ଶେଷରେ ସେନାଙ୍କୁ ମୁତୟନ କରିବାକୁ ପଡ଼ିଛି। ଇନ୍ଧନର ଅଭାବ ଯୋଗୁ ଶ୍ରୀଲଙ୍କାରେ ସୈନିକମାନେ ସୋମବାର ପେଟ୍ରୋଲ ପାଇଁ ଅପେକ୍ଷା କରୁଥିବା ଲୋକଙ୍କୁ ଟୋକନ ବଣ୍ଟନ କରିଥିଲେ। ଅନ୍ୟପଟେ ଇନ୍ଧନ ସଞ୍ଚୟ କରିବାକୁ ସରକାର ସମସ୍ତ ସ୍କୁଲ ବନ୍ଦ କରିଦେଇଥିବା ବେଳେ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ବର୍ତ୍ତମାନ କର୍ମଚାରୀମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ରେ ଅଛନ୍ତି। ସୂଚନାଯୋଗ୍ୟ, ବୈଦେଶିକ ମୁଦ୍ରା ଅଭାବରୁ ଶ୍ରୀଲଙ୍କା ଘୋର ଅଭାବର ସମ୍ମୁଖୀନ ହୋଇଛି। ଏହି କାରଣରୁ ଖାଦ୍ୟ, ଇନ୍ଧନ ଏବଂ ଔଷଧ ସହିତ ଅନେକ ଜରୁରୀ ଜିନିଷ ମଧ୍ୟ ଆମଦାନୀ କରିପାରୁନାହିଁ। ଅନ୍ୟପଟେ ବୈଦେଶିକ ମୁଦ୍ରା ରଖିବା ପାଇଁ ସରକାର ନିଜ ନାଗରିକଙ୍କ ପାଇଁ ଏକ ସୀମା ସ୍ଥିର କରିଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କାର ଲୋକମାନେ କେବଳ ୧୦,୦୦୦ ଡଲାରର ବିଦେଶୀ ମୁଦ୍ରା ରଖିପାରିବେ। ପୂର୍ବରୁ ଏହି ସୀମା ୧୫,୦୦୦ ଡଲାର ପର୍ଯ୍ୟନ୍ତ ରହିଥିଲା।

Share