ଶ୍ରୀଲଙ୍କାରେ ୭.୫୦ ଘଣ୍ଟା ବିଦ୍ୟୁତ୍‌କାଟ୍‌

କଲମ୍ବୋ,୨ା୩(ପି.ଟି): ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ବୁଧବାର ୭.୫ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହୋଇଛି। ୧୯୯୬ ପରେ ଏହା ସବୁଠୁ ଦୀର୍ଘ ସମୟ ବିଦ୍ୟୁତ୍‌ କାଟ୍‌। ବିଦ୍ୟୁତ୍‌ ପ୍ଲାଣ୍ଟ ଚଳାଇବା ଲାଗି ଆବଶ୍ୟକ ଇନ୍ଧନ ଆମଦାନୀ ବିଲ୍‌ ଭରିବାକୁ ସରକାର ସମର୍ଥ ନୁହନ୍ତି। ଫଳରେ ଦିନରେ ୫.୫ ଘଣ୍ଟା ଏବଂ ରାତିରେ ୨ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ଲାଗି ନିଷ୍ପତ୍ତି ନିଆଯାଇଥିବା ଶ୍ରୀଲଙ୍କାର ପବ୍ଲିକ୍‌ ୟୁଟିଲିଟିଜ୍‌ କମିଶନ୍‌ର ଅଧିକାରୀ ଜନକ ରତ୍ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ୩ଟି ଜାହାଜରେ ଆସିଥିବା ତେଲ ବିଲ୍‌ ପୈଠ କରିବାରେ ସରକାର ସହାୟତା କରିବାକୁ ଦେଶର ଇନ୍ଧନ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି। ବିଦ୍ୟୁତ୍‌ ସେକ୍ଟର ଅଧିକାରୀଙ୍କ କହିବା ଅନୁଯାୟୀ ଅନାବୃଷ୍ଟି ଯୋଗୁ ଜଳଭଣ୍ଡାରରେ ଜଳସ୍ତର ଯଥେଷ୍ଟ ହ୍ରାସ ପାଇଛି। ତେଣୁ ଜଳବିଦ୍ୟୁତ୍‌ ମଧ୍ୟ କମ୍‌ ଉତ୍ପାଦନ ହେଉଛି। ସରକାରଙ୍କ ପାଖରେ ଅର୍ଥାଭାବ ଦେଖାଦେଇଛି। ତେଣୁ ବିଦ୍ୟୁତ୍‌ କାଟ୍‌ ପରି ପଦକ୍ଷେପ ଗ୍ରହଣ କରାଯାଇଛି।

Share