Categories: ଖେଳ

ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍‌; ବାତିଲ ହେଲେ ଭାରତ ସହ କିଏ ଖେଳିବ ଫାଇନାଲ…?

କଲମ୍ବୋ,୧୪।୯: ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍‌ ୨୦୨୩ ସୁପର ୪ର ମ୍ୟାଚ୍‌କୁ ଟିମ ଇଣ୍ଡିଆ ଜିତି ଫାଇନାଲ ପାଇଁ ଟିକେଟ ହାସଲ କରି ନେଇଛି। ଏହାପୂର୍ବରୁ ଭାରତୀୟ ଟିମ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବିଶାଳ ୨୨୮ ରନରେ ପରାସ୍ତ କରିଥିଲା। ସୁପର ୪ର ପ୍ରଥମ ଦୁଇଟି ମ୍ୟାଚ ଜିତି ଭାରତ ୪ ପଏଣ୍ଟ ସହ ଫାଇନାଲକୁ ଯାଇଛି। ତେବେ ଦଳ ଶୁକ୍ରବାର ସୁପର ୪ର ଶେଷ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ମଧ୍ୟ ଖେଳିବ। ବାଂଲାଦେଶ ତା’ର ପ୍ରଥମ ଦୁଇଟି ଯାକ ମ୍ୟାଚ ହାରି ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିବାରୁ ମ୍ୟାଚର୍‌ ଫଳାଫଳ ଫାଇନାଲ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତେବେ ଭାରତ ଫାଇନାଲକୁ ଯାଇ ସାରିଥିଲେ ମଧ୍ୟ ଦ୍ୱିତୀୟ ଦଳ ଭାବେ କିଏ ଫାଇନାଲ ଖେଳିବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ଏହି ଦୈାଡ଼ରେ ରହିଛନ୍ତି।

ଗୁରୁବାର ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ। ଯେଉଁ ଦଳ ଏହି ମ୍ୟାଚ ଜିତିବ, ଉକ୍ତ ଟିମ ହିଁ ରବିବାର ଭାରତ ବିପକ୍ଷରେ ଫାଇନାଲ ଟକ୍କରରେ ମୁହାଁମୁହିଁ ହେବ। ହେଲେ ଶ୍ରୀଲଙ୍କାର ପାଣିପାଗ ଏହି ମ୍ୟାଚ ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମ୍ୟାଚ ପାଇଁ କୌଣସି ସଂରକ୍ଷିତ ଦିବସ ନାହିଁ। ଯଦି ବର୍ଷା ଲାଗି ରହିଲା, ତା’ହେଲେ ମ୍ୟାଚକୁ ବାତିଲ କରାଯାଇ ପଏଣ୍ଟ ଭାଗ କରାଯିବ। ଅପରପକ୍ଷେ ପାକିସ୍ତାନ ଆସନ୍ତାକାଲି ଶ୍ରୀଲଙ୍କାକୁ ହରାଇଲେ, ରବିବାର ତୃତୀୟ ଥର ପାଇଁ ଭାରତ-ପାକିସ୍ତାନ ଲଢେଇ ଦେଖିବାକୁ ମିଳିବ।

ମ୍ୟାଚ ବାତିଲ ହେଲେ ଶ୍ରୀଲଙ୍କା ଅପେକ୍ଷା ପାକିସ୍ତାନକୁ ବଡ ଝଟ୍‌କା ଲାଗିବ। ପାକିସ୍ତାନ ତୁଳନାରେ ଶ୍ରୀଲଙ୍କାର ରନରେଟ ଭଲ ଥିବାରୁ ପଏଣ୍ଟ ଭାଗ ହେଲେ ଫାଇନାଲକୁ ଶ୍ରୀଲଙ୍କା ଆପେଆପେ ଯୋଗ୍ୟତା ଅର୍ଜନ କରିନେବ। ଏବେ ଶ୍ରୀଲଙ୍କା ଏବେ (- ୦.୨୦୦) ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ (- ୧.୮୯୨) ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ତେବେ ପାକିସ୍ତାନ ସୁପର ୪ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ବେଶ ସହଜରେ ହରାଇ ଭଲ ରନରେଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। କିନ୍ତୁ ଭାରତ ବିପକ୍ଷରେ ଦଳ ବିଶାଳ ବ୍ୟବଧାନରେ ହାରିବା ପରେ ଦଳର ରନ ରେଟ – ୧କୁ ଖସି ଯାଇଛି।

Share