Categories: ଖେଳ

ଡେବ୍ୟୁ ଟେଷ୍ଟରେ ମୁଣ୍ଡରେ ଲାଗିଲା ବଲ୍‌: ହସ୍ପିଟାଲ୍‌ରେ ଏହି କ୍ରିକେଟର୍‌

ଗଲ,୨୧।୧୧: ୱେଷ୍ଟଇଣ୍ଡିଜ ଦଳ ୨ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସିରିଜର ପ୍ରଥମ ଟେଷ୍ଟ ଦୁଇ ଦେଶ ମଧ୍ୟରେ ଆଜିଠାରୁ ଗଲରେ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ପଡ଼ିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟଇଣ୍ଡିଜ ପାଇଁ ଡେବ୍ୟୁ କରୁଥିବା ଜେରେମି ସୋଲୋଜାନୋ ଫରୱାର୍ଡ ସର୍ଟ ଲେଗରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ବାହାରକୁ ଅଣାଯାଇଥିଲା। ଏହି ଘଟଣା ମ୍ୟାଚର ୨୪ ତମ ଓଭରରେ ଘଟିଥିଲା।
ୱେଷ୍ଟଇଣ୍ଡିଜ ସ୍ପିନର ରୋଷ୍ଟନ ଚେଜ ବୋଲିଂ କରୁଥିବାବେଳେ ଶ୍ରୀଲଙ୍କାର ଅଧିନାୟକ ଡିମୁଥ କରୁଣାତ୍ନେ ବ୍ୟାଟିଂ କରୁଥିଲେ। ଚେଜ ଓଭରର ଚତୁର୍ଥ ବଲ ଟିକେ ଶର୍ଟ ୍‌ ଥିଲା। ଡିମୁଥ ଏହି ବଲ୍‌ରେ ଏକ ପୁଲ୍‌ ଶର୍ଟ ମାରିଥିଲେ। ବଲଟି ସିଧା ସୋଲୋଜାନୋଙ୍କ ହେଲମେଟ ଉପରେ ଯାଇଥିଲା। ସେ ଫରୱାର୍ଡ ସର୍ଟ ଲେଗରେ ଫିଲ୍ଡିଂ କରୁଥିଲେ। କରୁଣାତ୍ନେ ଏତେ ଶକ୍ତିଶାଳୀ ଶଟ ଖେଳିଥିଲେ ଯେ ସୋଲୋଜାନୋଙ୍କ ହେଲମେଟର ପଛ ପଟେ ବାଜିବାରୁ ସେ ତଳେ ପଡ଼ିଯାଇଥିଲେ।
ସୋଲୋଜାନୋ ତଳେ ପଡ଼ିଯିବା ମାତ୍ରେ ଫିଜିଓ ପଡିଆକୁ ଦୌଡ଼ିଯାଇ ତାଙ୍କୁ ପ୍ରଥମେ ଚିକିତ୍ସା କରିଥିଲେ। ତାଙ୍କ ମୁଣ୍ଡକୁ ଏକ ତଉଲିଆରେ ଚାପି ଦିଆଗଲା। ସେହି ସମୟରେ ସମଗ୍ର ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଏବଂ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ମୁହଁରେ ଭୟ ଖେଳିଯାଇଥିଲା। ତାଙ୍କ ଖେଳାଳିମାନେ ଆହତ ହୋଇଥିବାର ଦେଖି କୋଚ ଫିଲ ସିମନ୍ସ ମଧ୍ୟ ତୁରନ୍ତ ଡ୍ରେସିଂ ରୁମରୁ ପଡ଼ିଆରେ ପହଞ୍ଚିଥିଲେ। ଅବଶ୍ୟ, ଫିଜିଓଙ୍କ ଚିକିତ୍ସା ପରେ ମଧ୍ୟ ସୋଲୋଜାନୋଙ୍କ ଅବସ୍ଥାରେ କୌଣସି ବିଶେଷ ଉନ୍ନତି ହୋଇପାରିଲା ନାହିଁ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଡିମୁଥ କରୁଣାତ୍ନେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

Share