Advertisement

ନାଁ ନ ନେଇ ଚାଇନାକୁ ଚେତାଇଲା ଶ୍ରୀଲଙ୍କା, ମୋଦିଙ୍କ ସାମ୍ନାରେ ରାଷ୍ଟ୍ରପତି କହିଲେ, ଭାରତ ବିରୋଧରେ ଏପରି…

କଲମ୍ବୋ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ୪ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ଆହୁରି ମଜବୁତ କରିବା ବିଷୟରେ ଆଲୋଚନା କରିଥିଲେ। ରାଷ୍ଟ୍ରପତି ଦିସାନାୟକେ ଭାରତର ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତା ପ୍ରତି ଶ୍ରୀଲଙ୍କାର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି ଯେ ଶ୍ରୀଲଙ୍କା ଏହାର ଭୂମିକୁ ଭାରତର ସୁରକ୍ଷା ବିରୋଧୀ କିମ୍ବା ଆଞ୍ଚଳିକ ସ୍ଥିରତା ବିପରୀତ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଦେବ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆନୁଷ୍ଠାନିକ ଆଲୋଚନା ପରେ କଲମ୍ବୋରେ ଏହି ବିବୃତ୍ତି ଦିଆଯାଇଥିଲା। ଏହା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗଭୀର ବିଶ୍ୱାସ ଏବଂ ସହଯୋଗକୁ ପ୍ରତିଫଳିତ କରେ। ଏଥିରୁ ସ୍ପଷ୍ଟ ଭାବେ ଅନୁମାନ କରାଯାଉଥିଲା ଯେ ଶ୍ରୀଲଙ୍କା କାହାର ନାଁ ନ ନେଇ ସିଧାସଳଖ ଚାଇନାକୁ ଟାର୍ଗେଟ କରିଛି।
ରାଷ୍ଟ୍ରପତି ଦିଶାନାୟକେ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ସହଯୋଗ ଲୋଡ଼ିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିତ ଜାତିସଂଘ ମହାସାଗର କମିଶନ ସହିତ ଶ୍ରୀଲଙ୍କାର ଦାବି ଉପରେ ବୈଷୟିକ ଆଲୋଚନା ତ୍ୱରାନ୍ବିତ କରିବାକୁ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗଟି ଶ୍ରୀଲଙ୍କାର ସ୍ବତନ୍ତ୍ର ଅର୍ଥନୈତିକ କ୍ଷେତ୍ର (EEZ) ବାହାରର ସାମୁଦ୍ରିକ ସୀମା ସହିତ ଜଡିତ।
ରାଷ୍ଟ୍ରପତି ଦିସାନାୟକେ ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ଶ୍ରୀଲଙ୍କା ଅଭିବୃଦ୍ଧି, ନବସୃଜନ ଏବଂ ଦକ୍ଷତାକୁ ଆଗେଇ ନେବା ପାଇଁ ଡିଜିଟାଲ ଅର୍ଥନୀତିର ଗୁରୁତ୍ୱକୁ ଉପଲବ୍ଧି କରିଛି। ଶ୍ରୀଲଙ୍କାର ଡିଜିଟାଲ ପରିଚୟ ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବା ପାଇଁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।
ରାଷ୍ଟ୍ରପତି ଦିସାନାୟକେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଐତିହାସିକ, ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଶତାବ୍ଦୀ ପୁରୁଣା ଏବଂ ଏହା ସମାନ ମୂଲ୍ୟବୋଧ, ପାରସ୍ପରିକ ସମ୍ମାନ ଏବଂ ସମାନ ସ୍ବାର୍ଥ ଉପରେ ଆଧାରିତ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share