Categories: ଖେଳ

କ୍ଲିନ୍‌ ସୁଇପ୍‌ ହାତଛଡ଼ା କଲା ଭାରତ

ଡାମ୍ବୁଲା,୨୭।୬: ଏଠାରେ ସୋମବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳକୁ ୭ ଉଇକେଟରେ ଶ୍ରୀଲଙ୍କା ହରାଇ ଦେଇଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଧାର୍ଯ୍ୟ ୧୩୯ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋରକୁ ଅଧିନାୟିକା ଚାମିରା ଆଟାପାଟୁଙ୍କ ବିସ୍ଫୋରକ ୮୦ ରନ୍‌ର ପାଳି ଯୋଗୁ ଶ୍ରୀଲଙ୍କା ୩ ଓଭର ପୂର୍ବରୁ ହାସଲ କରି ନେଇଥିଲା। ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଥିଲେ ମଧ୍ୟ କ୍ଲିନ ସୁଇପ୍‌ ହାସଲ କରିବାରେ ବିଫଳ ହୋଇଛି। ଦର୍ଶନୀୟ ପାଳି ଖେଳିଥିବା ଘରୋଇ ଅଧିନାୟିକାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଓଭରରେ ହିଁ ସେଫାଳୀ ବର୍ମା(୫)ଙ୍କ ଉଇକେଟ ହରାଇଥିଲା। ସ୍ମୃିତି ମନ୍ଧାନା(୨୨ ରନ, ୩ ଚୌକା) ଓ ସାବିନେନି ମେଘନା (୨୨ ରନ, ୩ ଚୌକା) ୨ୟ ଉଇକେଟରେ ୪୧ ରନ୍‌ ଯୋଡ଼ିବା ପରେ କ୍ରମାଗତ ଓଭରରେ ଆଉଟ୍‌ ହୋଇଥିଲେ। ତା’ପରେ ଅଧିନାୟିକା ହରମନପ୍ରୀତ କୌର (୩୯ ରନ୍‌, ୩ ଚୌକା ଓ ୧ ଛକା) ଏବଂ ଜେମ୍ମିମା ରୋଡ୍ରିଗୁଏଜ (୩୩ ରନ୍‌, ୩ ଚୌକା)ଙ୍କ ମଧ୍ୟରେ ୪ର୍ଥ ଉଇକେଟ ପାଇଁ ୬୪ ରନ୍‌ର ଭାଗୀଦାରି ହୋଇଥିଲା। ଶେଷକୁ ପୂଜା ବସ୍ତ୍ରକାର ୬ ବଲରେ ୨ ଚୌକା ସହାୟତାରେ ୧୩ ରନ୍‌ କରି ଦଳକୁ ଭଲ ଫିନିଶିଂ ପ୍ରଦାନ କରିଥିଲେ। ଫଳରେ ଭାରତୀୟ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୩୮ ରନ୍‌ କରିଥିଲା। ଘରୋଇ ଦଳ ପାଇଁ ଓ ରାଣାସିଙ୍ଘେ, ଆମା କଞ୍ଚନା ଓ ସୁଗନ୍ଧିକା କୁମାରୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଭାରତ ଭଳି ଶ୍ରୀଲଙ୍କାକୁ ମଧ୍ୟ ଭଲ ଆରମ୍ଭ ମିଳି ନ ଥିଲା। ଦଳ ପାଓ୍ବରପ୍ଲେ ମଧ୍ୟରେ ଭିଶ୍ମି ଗୁଣାରତ୍ନେ (୫) ଓ ହର୍ଶିତା ମାଦଭୀ (୧୩)ଙ୍କ ଉଇକେଟ ହରାଇଥିଲା। କିନ୍ତୁ ଅଧିନାୟିକା ଆଟାପାଟୁ କୌଣସି ଭାରତୀୟ ବୋଲରଙ୍କୁ କ୍ଷମା ଦେଇ ନ ଥିଲେ। ୪୮ ବଲରେ ତାଙ୍କର ୮୦ ରନ୍‌ର ବିସ୍ଫୋରକ ଇନିଂସ ଯୋଗୁ ଶ୍ରୀଲଙ୍କା ୧୭ ଓଭରରେ ୩ ଉଇକେଟ ହରାଇ ୧୪୧ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଆଟାପାଟୁଙ୍କ ପାଳିରେ ସାମିଲ ଥିଲା ୧୪ ଚୌକା ଓ ୧ ଛକା। ତାଙ୍କୁ ନିଳାକ୍ଷୀ ଡି’ ସିଲଭା (୩୦ ରନ୍‌, ୪ ଚୌକା) ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ। ଭାରତୀୟ ଦଳ ପକ୍ଷରୁ ରେଣୁକା ସିଂ ଓ ରାଧା ଯାଦବଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।

Share