Categories: ଖେଳ

ଭାରତକୁ ଧୂଳି ଚଟାଇ ପ୍ରଥମଥର ମହିଳା ଟି୨୦ ଏସିଆ କପ୍‌ ଟାଇଟଲ ଜିତିଲା ଶ୍ରୀଲଙ୍କା

ଦାମ୍ବୁଲା, ୨୮ା୭: ଶ୍ରୀଲଙ୍କା ପ୍ରଥମ ଥର ମହିଳା ଟି୨୦ ଏସିଆ କପ୍‌ ଟାଇଟଲ ହାସଲ କରିଛି। ଚାମରୀ ଆଥାପଟୁ (୬୧) ଓ ହର୍ଶିଥା ସମରବିକ୍ରମା (୬୯*)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଭାରତକୁ ୮ଉଇକେଟରେ ହରାଇ ଶ୍ରୀଲଙ୍କା ଏହି କୃତିତ୍ୱ ହାସଲ କରିଛି। ଭାରତ ଦ୍ୱିତୀୟ ଥର ପାଇଁ ଏସିଆ କପ୍‌ର ୯ଟି ସଂସ୍କରଣ (ମହିଳା ଅନ୍ତର୍ଜାତୀୟ ଦିନିକିଆ ଓ ମହିଳା ଟି୨୦) ମଧ୍ୟରୁ ଦ୍ୱିତୀୟ ଥର ଫାଇନାଲରେ ପରାଜିତ ହୋଇଛି। ପୂର୍ବରୁ ଦଳ ୨୦୧୮ରେ କ୍ୱାଲାଲମ୍ପୁରଠାରେ ବାଂଲାଦେଶ ବିପକ୍ଷ ଫାଇନାଲ ମ୍ୟାଚରେ ପରାଜିତ ହୋଇଥିଲା।
ଏଠାରେ ରବିବାର ଖେଳାଯାଇଥିବା ୨୦୨୪ ସଂସ୍କରଣର ଫାଇନାଲ ମ୍ୟାଚରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ୧୬୭/୨ ସ୍କୋର କରି ଜିତି ନେଇଥିଲା। ଅଧିନାୟିକା ଆଥାପାଥଥୁ ତାଙ୍କ ୪୩ ବଲ୍‌ରେ ୬୧ରନର ଇନିଂସରେ ୯ ଚୌକା ଓ ଦୁଇଟି ଛକା ଲଗାଇଥିଲେ। ସେହିପରି ହର୍ଶିଥା ୫୧ ବଲ୍‌ରୁ ୬ ଚୌକା ଓ ଦୁଇ ଛକା ସହ ୬୯ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ଓଭରରେ ୬ ଉଇକେଟ ବିନିମୟରେ ୧୬୫/୬ ରନ କରିଥିଲା। ଭାରତୀୟ ଇନିଂସର ଟପ୍‌ ସ୍କୋରର ସ୍ମୃତି ମନ୍ଧାନା ୪୭ ବଲ୍‌ରୁ ୬୦ ରନ କରିଥିଲେ। ବିଳମ୍ବରେ ରିଚା ଘୋଷ ଦ୍ରୁତ ୩୦ ରନ ସଂଗ୍ରହ କରିଥିଲେ। ହର୍ଶିଥା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଆଥାପାଥଥୁ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।

 

 

Share