Categories: ଖେଳ

ଶ୍ରୀଲଙ୍କା ବିଶ୍ୱକପ୍‌ କ୍ୱାଲିଫାୟର ଚାମ୍ପିୟନ

ହରାରେ,୧୦ା୭: ନେଦରଲାଣ୍ଡ୍ସକୁ ପରାସ୍ତ କରି ବିଶ୍ୱକପ୍‌ କ୍ୱାଲିଫାୟରରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରୀଲଙ୍କା। ରବିବାର ହରାରେ ସ୍ପୋଟର୍‌ସ କ୍ଲବରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୩୩ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୧୦୫ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ପକ୍ଷରୁ ଦୁଇ ଓପନର ପାଥୁମ୍‌ ନିଶଙ୍କା ୨୩ ଓ ସମରଓ୍ବିକ୍ରମା ୧୯ ରନ୍‌ କରିଥିଲେ। ପାର୍ଟ ଟାଇମର ବିକ୍ରମଜିତ ସିଂ ଉଭୟ ଖେଳାଳିଙ୍କୁ ଆଉଟ କରିଥିଲେ। ପରବର୍ତ୍ତୀ ୩ ବ୍ୟାଟର କୁଶଲ ମେଣ୍ଡିସ୍‌ ୪୩, ସାହାନ୍‌ ଆରାଛିଗେ ୫୭ ଓ ଚରିଥ୍‌ ଅସଲଙ୍କା ୩୬ ରନ୍‌ କରିଥିଲେ। ଏକଦା ୧୮୦ ରନ୍‌ରେ ୩ ଉଇକେଟ ହରାଇଥିବା ଶ୍ରୀଲଙ୍କା ପରବର୍ତ୍ତୀ ୧୦ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ଦ୍ୱିତୀୟ ଦିନିକିଆ ଖେଳୁଥିବା ସାହାନ୍‌ ଆରାଛିଗେ ୭୧ ବଲ୍‌ ଖେଳି ୪ ଚୌକା ମାରିଥିଲେ। ଶେଷ ଆଡକୁ ଓ୍ବନିନ୍ଦୁ ହସରଙ୍ଗା ୨୯ ଓ ମହୀଷ ଥିକ୍‌ସାନା ୧୩ ରନ୍‌ କରିବାରୁ ଶ୍ରୀଲଙ୍କା ୪୭.୫ ଓଭରରେ ୨୩୩ ରନରେ ସମସ୍ତ ଉଇକେଟ ହରାଇଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଲୋଗାନ୍‌ ଭାନ୍‌ ବିକ୍‌, ର଼୍ୟାନ କ୍ଲେନ୍‌, ବିକ୍ରମଜିତ ସିଂ ଓ ସାକିବ ଜୁଲଫିକର ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
୨୩୪ ରନ୍‌ ଲକ୍ଷ୍ୟରେ ନେଦରଲାଣ୍ଡ୍ସ ଆରମ୍ଭ ବେଶ୍‌ ବିପର୍ଯ୍ୟୟପୂର୍ଣ୍ଣ ରହିଥିଲା। ଦିଲଶାନ ମଦୁଶନକା ଘାତକ ବୋଲିଂ କରିବାରୁ ନେଦରଲାଣ୍ଡ୍ସ ୪୯ ରନ୍‌ରେ ୬ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ମାତ୍ର ୩ଜଣ ଖେଳାଳି ଦୁଇଅଙ୍କ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଓପନର ମ୍ୟାକ୍ସ ଡି ଓଡ୍‌ ସର୍ବାଧିକ ୩୩ ରନ୍‌ ସ୍କୋର କରିଥିଲେ। ମଦୁଶନକାଙ୍କ ବ୍ୟତୀତ ମହୀଷ ଥିକ୍‌ସାନା ୪ ଓ ଓ୍ବନିନ୍ଦୁ ହସରଙ୍ଗା ଦୁଇଟି ଉଇକେଟ ନେଇଥିଲେ। ଦିଲସାନ ମଦୁଶନକାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ଜିମ୍ବାଓ୍ବେର ସନ୍‌ ଓ୍ବିଲିୟମ୍ସଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ବିବେଚନା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୪୭.୫ ଓଭରରେ ୨୩୩/୧୦ (ସାହାନ୍‌ ଆରାଛିଗେ-୫୭, କୁଶଲ ମେଣ୍ଡିସ୍‌-୪୩, ଚରିଥ୍‌ ଅସଲଙ୍କା-୩୬, ଲୋଗାନ୍‌ ଭାନ୍‌ ବିକ୍‌-୨/୪୦, ର଼୍ୟାନ କ୍ଲେନ୍‌,-୨/୪୨, ବିକ୍ରମଜିତ ସିଂ-୨/୧୨)।
ନେଦରଲାଣ୍ଡ୍ସ ୨୩.୩ ଓଭରରେ ୧୦୫/୧୦(ମ୍ୟାକ୍ସ ଡି ଓଡ୍‌-୩୩, ଲୋଗାନ୍‌ ଭାନ୍‌ ବିକ୍‌-୨୦*, ମହୀଷ ଥିକ୍‌ସାନା-୪/୩୧, ଦିଲଶାନ ମଦୁଶନକା-୩/୧୮, ଓ୍ବନିନ୍ଦୁ ହସରଙ୍ଗା-୨/୩୫)।

Share