Categories: ଖେଳ

ପତ୍ନୀ-ପିଲାଙ୍କ ସମ୍ମୁଖରେ କ୍ରିକେଟରଙ୍କୁ ଗୁଳି କରି ହତ୍ୟା, ଖେଳଜଗତରେ ଶୋକର ଛାୟା

କଲମ୍ବୋ,୧୭।୭: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧାମ୍ମିକା ନିରୋଶାନାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ସେ ଦେଶର ଅଣ୍ଡର ୧୯ ଟିମ୍‌ର ଅଧିନାୟକ ମଧ୍ୟ ଥିଲେ। ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ସେମାନେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସାମ୍ନାରେ ଗୁଳି ଚଳାଇଥିଲେ। ଏଥିରେ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ପୋଲିସ ଏନେଇ ଖବର ପାଇବା ପରେ ମାମଲାର ତଦନ୍ତ କରୁଛି। ତେବେ ଧାମ୍ମିକା ଅଣ୍ଡର ୧୯ କ୍ରିକେଟ ଖେଳୁଥିବା ସମୟରେ ଇରଫାନ ପଠାନ, ପାର୍ଥିବ ପଟେଲଙ୍କ ଭଳି ଭାରତୀୟ କ୍ରିକେଟରଙ୍କ ବିପକ୍ଷରେ ଖେଳିଛନ୍ତି।

ଧାମ୍ମିକା ଅମ୍ବାଲୋନାରେ ରହୁଥିବା ଜଣାପଡ଼ିଛି। ହେଲେ ତାଙ୍କୁ କିଏ ଏବଂ କେଉଁ କାରଣରୁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ। ହତ୍ୟା ସମୟରେ ଘରେ ପତ୍ନୀ ଏବଂ ପିଲାମାନେ ଉପସ୍ଥିତ ରହିଥିଲେ। ଏଣୁ ପୋଲିସ ସମସ୍ତଙ୍କୁ ପଚରାଉଚରା କରୁଛି।

ତେବେ ଧାମ୍ମିକା ଶ୍ରୀଲଙ୍କାର ଅଣ୍ଡର ୧୯ ଟିମ୍‌ ଲାଗି କ୍ରିକେଟ ଖେଳିଥିଲେ ହେଁ ଜାତୀୟ ଦଳରେ ସ୍ଥାନ ପାଇପାରି ନ ଥିଲେ। ସେ ଡାହାଣ ହାତୀ ଦ୍ରୁତ ବୋଲର ଏବଂ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଥିଲେ। ୨୦୦୧ରୁ ୨୦୦୪ ଯାଏ ସେ ଗଲ କ୍ରିକେଟ କ୍ଲବ ଲାଗି ସେ ୧୨ ଫାଷ୍ଟ କ୍ଲାସ ମ୍ୟାଚ୍‌ ଏବଂ ୮ ଲିଷ୍ଟ ଏ ମ୍ୟାଚ୍‌ ଖେଳିଥିଲେ। ସେ ୨ ବର୍ଷ ଯାଏ ଶ୍ରୀଲଙ୍କାର ଅଣ୍ଡର ୧୯ ଟିମ୍‌ ଲାଗି ଖେଲିଥିଲେ। ଏହି ସମୟରେ ସେ ୧୦ ମ୍ୟାଚ୍‌ରେ ଅଧିନାୟକ ହୋଇଥିଲେ। ଅନେକ ବଡ଼ ଖେଳାଳି ତାଙ୍କ ଅଧିନାୟକତ୍ୱରେ ଖେଳିଛନ୍ତି। ୨୦୦୪ରେ ସେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ।

Share