Categories: ଖେଳ

ଶ୍ରୀଲଙ୍କା କ୍ରିକେଟରଙ୍କ ବିଦେଶ ଯାତ୍ରାରେ କଟକଣା

କଲମ୍ବୋ, ୧୫ା୮: ଶ୍ରୀଲଙ୍କାର ଜଣେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସଚିତ୍ର ସେନାନାୟକେ ମ୍ୟାଚ ଫିକ୍ସିଂରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଫଳତଃ ସ୍ଥାନୀୟ ଏକ କୋର୍ଟ ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି କରିଛି। ୩୮ ବର୍ଷୀୟ ସେନାନାୟକେ ୨୦୧୨ ଓ ୨୦୧୬ ମଧ୍ୟରେ ଏକମାତ୍ର ଟେଷ୍ଟ, ୪୯ ଅନ୍ତର୍ଜାତୀୟ ଦିନିକିଆ ଏବଂ ୨୪ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ୨୦୨୦ ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ରେ ସେ ମ୍ୟାଚ ଫିକ୍ସିଂ କରିବାକୁ ଚେଷ୍ଟା କରୁଥିଲେ। ମ୍ୟାଚ ଫିକ୍ସ କରିବା ଲାଗି ଟେଲିଫୋନ ଯୋଗେ ସେ ୨ଜଣ ଖେଳାଳିଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି। କଲମ୍ବୋ ଚିଫ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ସେନାନାୟକେଙ୍କୁ ୩ ମାସ ପାଇଁ ବିଦେଶ ଗସ୍ତ ଉପରେ କଟକଣା ଜାରି କରିବା ଲାଗି କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇମିଗ୍ରେଶନ ଆଣ୍ଡ୍‌ ଏମିଗ୍ରେଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଆଟର୍ନି ଜେନେରାଲ ଡିପାର୍ଟମେଣ୍ଟର ହସ୍ତଗତ ହୋଇଛି। କୋର୍ଟ କହିଛନ୍ତି ଯେ, ପୂର୍ବତନ ଅଫ୍‌ ସ୍ପିନରଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟର ସ୍ବତନ୍ତ୍ର ଅନୁସନ୍ଧାନ ୟୁନିଟ୍‌ ଦ୍ୱାରା ଆଟର୍ନି ଜେନେରାଲ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Share