ଜୁଲାଇ ୨୧ରେ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ/ନୂଆଦିଲ୍ଲୀ,୯।୭ : ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଜୁଲାଇ ୨୧ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।ଅଧିକାରୀଙ୍କ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏକ ଜନ ବିଦ୍ରୋହ ପରେ ଗତ ବର୍ଷ ଗୋଟାବାୟା ରାଜପାକ୍ସେଙ୍କୁ ବହିଷ୍କାର କରାଯାଇଥିଲା। ନୂତନ ରାଷ୍ଟ୍ରପତି ଭାବେ ନିଯୁକ୍ତି ପାଇବା ପରେ ଏହା ବିକ୍ରମସିଂଘେଙ୍କର ପ୍ରଥମ ଭାରତ ଗସ୍ତ। ସେପ୍ଟେମ୍ବର ୨୦୨୪ପର୍ଯ୍ୟନ୍ତ ରାଜପାକ୍ସେଙ୍କ ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ବିକ୍ରମସିଂଘେଙ୍କୁ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରାଯାଇଥିଲା।
ଶନିବାର ଡେଲି ମିରର ଖବରକାଗଜ ରିପୋର୍ଟ କରିଛି ଯେ ଭାରତର ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ଆସନ୍ତା ସପ୍ତାହ ଆରମ୍ଭରେ ଶ୍ରୀଲଙ୍କାରେ ପହଞ୍ଚି ବିକ୍ରମସିଂଘେଙ୍କ ନୂଆଦିଲ୍ଲୀ ଗସ୍ତ ପାଇଁ ପ୍ରସ୍ତୁତି କାର୍ଯ୍ୟ କରିବେ।

Share