କରୁଣାତିଲକଙ୍କୁ ବୁକର

କଲମ୍ବୋ, ୧୯ା୧୦: ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କାର ଲେଖକ ଶେହାନ୍‌ କରୁଣାତିଲକ(୪୭)ଙ୍କୁ ୨୦୨୨ ବର୍ଷ ପାଇଁ ବ୍ରିଟେନର ବୁକର ସମ୍ମାନ ପ୍ରଦାନ କରାଯାଇଛି। ‘ଦ ସେଭେନ୍‌ ମୁନ୍‌ସ ଅଫ୍‌ ମାଲି ଅଲ୍‌ମେଡା’ ପୁସ୍ତକ ପାଇଁ ସେ ଏହି ସାହିତ୍ୟ ସମ୍ମାନ ଜିତିଛନ୍ତି। ସୋମବାର ରାତିରେ ଲଣ୍ଡନରେ ଆୟୋଜିତ ଏକ ସମାରୋହରେ କରୁଣାତିଲକଙ୍କୁ ସମ୍ମାନିତ କରାଯାଇଛି। ବୁକର୍‌ ବାବଦରେ ତାଙ୍କୁ ୫୦,୦୦୦ ଗ୍ରେଟ୍‌ ବ୍ରିଟେନ୍‌ ପାଉଣ୍ଡ (ଜିବିପି) ପ୍ରଦାନ କରାଯିବ। ମାଇକେଲ ଓନ୍‌ଣ୍ଡାତ୍‌ଜେଙ୍କ ପରେ ବୁକର୍‌ ସମ୍ମାନ ପାଇବାରେ କରୁଣାତିଲକ ହେଉଛନ୍ତି ଦ୍ୱିତୀୟ ଶ୍ରୀଲଙ୍କା ନାଗରିକ। ୧୯୯୨ରେ ମାଇକେଲ୍‌ଙ୍କୁ ‘ଦ ଇଁଲିଶ ପେସେଣ୍ଟ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ଗୃହଯୁଦ୍ଧ ଏବଂ ହିଂସାକାଣ୍ଡ ଉପରେ ଆଧାରିତ କରୁଣାତିଲକ୍‌ଙ୍କ ଫିକ୍ସନ ଲେଖାରେ ଜଣେ ଫଟୋଗ୍ରାଫର ମାଲି ଅଲମେଡାଙ୍କ କାହାଣୀ ରହିଛି। ଗୃହଯୁଦ୍ଧ ବେଳେ ଅଲ୍‌ମେଡାଙ୍କର ମୃତ୍ୟୁ ଘଟିସାରିଛି। ସେ ଉଠିବା ପରେ ସାଙ୍ଗମାନଙ୍କୁ ତାଙ୍କ ଫଟୋଗୁଡ଼ିକୁ ଖୋଜିଦେବା ପାଇଁ କହୁଛନ୍ତି। ଗୃହଯୁଦ୍ଧର ଭୟାବହତା ଏବଂ ଏଥିପାଇଁ କିଏ ଦାୟୀ ତାହା ଦୁନିଆକୁ ଦେଖାଇବା ପାଇଁ ସେହି ଫଟୋସବୁକୁ ପାଇବାକୁ ସେ ଚେଷ୍ଟା କରୁଛନ୍ତି। ଏଥିସହ ସେ ତାଙ୍କ ମୃତ୍ୟୁର ରହସ୍ୟ ମଧ୍ୟ ଖୋଜୁଛନ୍ତି। ୧୯୭୫ରେ ଶ୍ରୀଲଙ୍କାର ଗାଲେ ସହରରେ କରୁଣାତିଲକ୍‌ଙ୍କ ଜନ୍ମ। ସେ କଲମ୍ବୋରେ ବଡ଼ ହୋଇଛନ୍ତି। ଶ୍ରୀଲଙ୍କାରେ ଗୃହଯୁଦ୍ଧ ଶେଷହେବା ପରେ ୨୦୦୯ରେ ଭୂତର କାହାଣୀ ଲେଖିବା ପାଇଁ କରୁଣାତିଲକ୍‌ ସ୍ଥିର କରିଥିଲେ। ଗୃହଯୁଦ୍ଧରେ ବାସ୍ତବ ମୃତାହତଙ୍କ ସଂଖ୍ୟା କେତେ ଏବଂ ଏଥିପାଇଁ କିଏ ଦାୟୀ ତାହା ଉପରେ ବିତର୍କ ଚାଲିଥିବାବେଳେ ନିଜ ପୁସ୍ତକରେ ମୃତକଙ୍କ ମନକଥା ଅବତାରଣା କରିବାକୁ ସେ ଚିନ୍ତା କରିଥିଲେ। ସମ୍ମାନ ଗ୍ରହଣ କଲାବେଳେ କରୁଣାତିଲକ୍‌ କହିଥିଲେ, ଏହି ପୁସ୍ତକ ଆପଣମାନଙ୍କ ପାଇଁ। ଦେଶ ବହୁକିଛି ହରାଇସାରିଥିବା ଭଳି କଠିନ ସମୟରେ ତାଙ୍କୁ ଏହି ସମ୍ମାନ ମିଳିଛି। ଏହାକୁ ସ୍ବୀକାର କରି ଆଗକୁ ବଢ଼ିବା ଏବଂ ଟି-୨୦ ଓ୍ବାଲର୍‌ଡକପ୍‌ ଜିତିବା ପାଇଁ ଆଶା କରିବା। ଶ୍ରୀଲଙ୍କା ନିକଟ ଭବିଷ୍ୟତରେ ବୁଝିବାରେ ସମର୍ଥ ହେବ ଯେ ଦୁର୍ନୀତି, ବେଟିଂ, ପରିବାର କିମ୍ବା ନିଜ ବଂଶର ଲୋକଙ୍କୁ କ୍ଷମତାରେ ରଖିବା ଭଳି ଚିନ୍ତାଧାରା ଇତିହାସରେ କେବେ ସୁଫଳ ଦେଇନାହିଁ କିମ୍ବା ଆଗକୁ ମଧ୍ୟ ଦେବନାହିଁ ବୋଲି ମଧ୍ୟ କରୁଣାତିଲକ କହିଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଏବଂ ମୁଖ୍ୟ ବିରୋଧୀ ଦଳ ନେତା ସାଜିଥ୍‌ ପ୍ରେମଦାସା ବୁକର ବିଜେତା କରୁଣାତିଲକ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share