Advertisement

ଶ୍ରୀନୀଳମାଧବଙ୍କ ଜନ୍ମାଷ୍ଟମୀ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଖଣ୍ଡପଡା,୭ା୯ (ଅଜୟ କୁମାର ମହାରଣା)ଖଣ୍ଡପଡା ବ୍ଲକ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ପୀଠ ଏବଂ ରାଧାମୋହନ ଜୀଉ ମଠରେ ବୁଧବାର ଜନ୍ମାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ସକାଳ ଧୂପଠାରୁ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଶ୍ରୀଜୀଉଙ୍କ ସନ୍ଧ୍ୟା ଧୂପ ଅର୍ପଣ ପରେ ଜୟ ବିଜୟ ଦ୍ୱାର ବନ୍ଦ କରି ପୁରୋହିତ ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ର ମଣ୍ଡଳ ପକାଇ ଥିଲେ। ନୀଳମାଧବ ଜୀଉଙ୍କ ମନ୍ଦିରରେ ବିଜେ ଶ୍ରୀକୃଷ୍ଣଙ୍କ ବିଗ୍ରହ ଗୁରୁଣ୍ଡି ଗୋପାଳ ଜୀଉଙ୍କୁ ଆଜ୍ଞାମାଳ ଦେଇ ଜନ୍ମ ଚକଡାରେ ବିଜେ କରାଯାଇଥିଲା। ପରେ ଦିଅଁ ଘରେ ଆରମ୍ଭ ହୋଇଥିଲା ଦେବକୀଙ୍କ ଗର୍ଭ ଯନ୍ତ୍ରଣାଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କ ଭୂମିଷ୍ଠ ହେବା ପର୍ଯ୍ୟନ୍ତ ସମସ୍ତ ବିଧି ବ୍ୟବସ୍ଥା। ପୁରୋଧା ବାସୁଦେବ ମିଶ୍ର ହୋମ କର୍ମ କରିଥିଲେ। ପରେ ରୀତିନୀତି ଅନୁଯାୟୀ ନାଭିକଟା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ପାରମ୍ପରିକ ରୀତି ଅନୁସାରେ ଅନ୍ଧାର ରାତିରେ ବସୁଦେବ ଭୂମିକାରେ ଥିବା ଲକ୍ଷ୍ମଣ ମିଶ୍ର କୃଷ୍ଣଙ୍କୁ ମୁଣ୍ଡରେ ଧରି ସିଂହଦ୍ୱାର ଦେଇ ଗୋପପୁର ଭାବେ ଉଦ୍ଦିଷ୍ଟ ଅରୁଣସ୍ତମ୍ଭ ନିକଟକୁ ଆସିଥିଲେ। ବାଟରେ ଉଗ୍ରସେନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସଞ୍ଜୀବ ମିଶ୍ର ବାଟ ଓଗାଳିବାରେ ପ୍ରଭୁ ଉଗ୍ରସେନଙ୍କୁ ଦର୍ଶନ ଦେଇଥିଲେ। ମାଳି ସୁବାସ ମହାପାତ୍ରଙ୍କ ମାଧ୍ୟମରେ ବାଇଶି ପାହାଚରେ ପାଣି ଢଳାଯାଇ ଯମୁନା ନଦୀର ଆଖ୍ୟା ଦିଆଯାଇ ବସୁଦେବ କୃଷ୍ଣଙ୍କୁ ଧରି ଯମୁନା ନଦୀ ପାର ହୋଇ ଗୋପରେ ପହଞ୍ଚତ୍ ଥିଲେ। ପରେ ପୂଜାରୀ ରବୀନ୍ଦ୍ର ନାଥ ମିଶ୍ର ଆଳତି, ଭୋଗ, ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ଏହାପରେ ସଂକୀର୍ତ୍ତନ, କାହାଳୀ, ପାଟପଟୁଆରରେ ଛତ୍ରି ଧରି ମଶାଲ ଲଗାଯାଇ ଶ୍ରୀକୃଷ୍ଣ ମନ୍ଦିରରେ ବିଜେ ହୋଇଥିଲେ। ରାତି ପ୍ରାୟ ୧୦ଟାରେ ବଡ଼ସିଙ୍ଗାର ପରେ ଡମ୍ବରୁ ବିଜେ ହୋଇ ଠାକୁରଙ୍କ ପହଡ଼ ପଡ଼ିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share