Categories: ମେଟ୍ରୋ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭାଦ୍ର ପରିକ୍ରମା ସତ୍‌ସଙ୍ଗ

ଭୁବନେଶ୍ବର,୧୧।୯: ସାମ୍ବାଦିକ ଏବଂ ସାହିତି୍ୟକ ହେଉଛନ୍ତି ସ୍ରଷ୍ଟା। ସେମାନେ ଏଭଳି ଆଲେଖ୍ୟ ପରିବେଷଣ କରିବା ଉଚିତ, ଯାହା ମାନବ ସମାଜର ହିତ ସାଧନ କରିବାରେ ସକ୍ଷମ ହେବ। ଏପରିକି ଲେଖା ମାଧ୍ୟମରେ ସକାରାତ୍ମକ ପରିବର୍ତ୍ତନ ଅଣାଯାଇପରିବ ବୋଲି ସତ୍‌ସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଭୁବନେଶ୍ବର ସତ୍‌ସଙ୍ଗ ବିହାରରେ ଅନୁଷ୍ଠିତ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ପବିତ୍ର ଭାଦ୍ର ପରିକ୍ରମା ସତ୍‌ସଙ୍ଗରେ ଆଲୋଚକମାନେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି।

ଶ୍ରୀଶ୍ରୀଠାକୁରଙ୍କ ଅନୁଗାମୀ ସାମ୍ବାଦିକ ଭାଇଭଉଣୀଙ୍କ ଉଦ୍ୟମରେ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବେଙ୍ଗାଲୁରୁରୁ ଆଗତ ୱିପ୍ରୋର ଟାଲେଣ୍ଟ ସ୍କିଲିଂ ପ୍ରଭାଗର ଗ୍ଲୋବାଲ ହେଡ୍‌ ସୂର୍ଯ୍ୟପ୍ରକାଶ ମହାପାତ୍ର କହିଲେ, ବର୍ତ୍ତମାନ ସମାଜରେ ପରିବର୍ତ୍ତନ ଦରକାର। ଏହି ଦିଗରେ ସାମ୍ବାଦିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ସତ୍‌ମାର୍ଗୀ ହେବା ସହ ଆଦର୍ଶଯୁକ୍ତ ହେଲେ ପ୍ରକୃତ ଭୂମିକା ନିଭାଇ ପାରିବେ। ବରିଷ୍ଠ ସାମ୍ବାଦିକ ଧୃତିକାମ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣରେ ପରମ୍‌ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କ ଆଶୀର୍ବାଦ କ୍ରମେ ସତ୍‌ସଙ୍ଗୀ ସାମ୍ବାଦିକ ଭାଇଭଉଣୀମାନେ ବିଭିନ୍ନ ଲୋକ କଲ୍ୟାଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ସହ ଠାକୁରଙ୍କ ଭାବଧାରାର ପ୍ରଚାର ପ୍ରସାରରେ ନିୟୋଜିତ ଅଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ ସତ୍‌ସଙ୍ଗୀ ସାମ୍ବାଦିକ ଭାଇଭଉଣୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଚକ୍ରଧାରୀ ନାୟକ, ସିଦ୍ଧାର୍ଥ ରଞ୍ଜନ ଧଳ, ପ୍ରଜ୍ଞାନ ମହାଭୋଇ, ଅମିତାଭ ସାମନ୍ତରାୟ, ଅନନ୍ତ ଚରଣ ସ୍ବାଇଁ ପ୍ରମୁଖ ସଙ୍ଗୀତାଞ୍ଜଳିରେ ଅଂଶ ଗ୍ରହଣ କରିଥିଲେ। ସତ୍‌ସଙ୍ଗର କର୍ମୀ ତଥା ବରିଷ୍ଠ ସାମ୍ବାଦିକ ବୀରଭଦ୍ର ବିଶ୍ବାଳ ସଦ୍‌ଗ୍ରନ୍ଥ ପାଠ କରିଥିବା ବେଳେ କୃତିକାମ ମହାନ୍ତି ସମାପନୀ କୀର୍ତ୍ତନ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ର, ଅଭୟ କୁମାର ପରି, ଧନେଶ୍ବର ମହାରଣା, ସୁଧୀର କୁମାର ଜେନା, ବିପିନ ବିହାରୀ ମିଶ୍ର, ଅଲେଖ କୁମାର ଚକ୍ର ଓ ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସତ୍‌ସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଭାଗବତ ତ୍ରିପାଠୀ, ଦୋଳଗୋବିନ୍ଦ ପଣ୍ଡା, ଶ୍ରୀକାନ୍ତ ସାହୁ, ଏସ୍‌. ଏ. କଲିମ, ପ୍ରକାଶ ଚନ୍ଦ୍ର ସେଠୀ, ରୁଦ୍ରନାରାୟଣ ଜେନା, ଦୁଷ୍ମନ୍ତ କୁମାର ଜେନା ଓ ବେଦ୍ଧାୟନ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share