ଘୋଷଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ

ଭୁବନେଶ୍ୱର,୧୯।୬(ଅସମାପିକା ସାହୁ): ଘୋଷଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ହେଉଛି ଭୁବନେଶ୍ୱରର ଅନ୍ୟତମ ବଡ଼ ରଥଯାତ୍ରା। ଅକ୍ଷୟତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭହୋଇ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ହୋଇଥାଏ । ଅକ୍ଷୟତୃତୀୟାଠାରୁ କିଟ୍‌, କିସ୍‌ ଓ ଶ୍ରୀବାଣୀକ୍ଷେତ୍ର କିଟ୍‌ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରା ଯେଭଳି ସୁରୁଖୁରୁରେ ହୋଇପାରିବ ସେନେଇ ପ୍ରାକ୍‌ ପ୍ରସ୍ତୁତି ବୈଠକ ହୋଇଥିଲା। ଏପରି କି ସାମନ୍ତଙ୍କ ଅଧ୍ୟକ୍ଷତାରେ ଶନିବାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ହୋଇଥିଲା । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ହୋଇଥିଲା । ମଙ୍ଗଳବାର ମହାପ୍ରଭୁଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ସୂର୍ଯ୍ୟପୂଜା, ରୋଷହୋମ, ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ସମ୍ପନ୍ନ ପରେ ପୂର୍ବାହ୍ନ ୧୦ରେ ତିନିଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ସେହିପରି ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ ପରେ ଅପରାହ୍ନ ସାଢେ ୪ରୁ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ସମୟରେ ଶ୍ରୀବାଣୀକ୍ଷେତ୍ରରେ ୩୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳାର ସହ ରଥଟଣା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ବଣ୍ଟନ ଓ ଜଳ ସିଞ୍ଚନର ବ୍ୟବସ୍ଥା ହୋଇଛି। ଶିଖରଚଣ୍ଡୀ ପାଦଦେଶରେ ଥିବା ସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କରାଯିବ। ଏପରି କି ନବଦିନବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମିନାବଜାର ସହ ପ୍ରତ୍ୟହ ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ସମାରୋହ କାର୍ଯ୍ୟକ୍ରମ ରହିଛି।

Share