ଭୁବନେଶ୍ୱର,୬।୩: ନ୍ୟାଶନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଶ୍ରୀଧର ପାତ୍ରଙ୍କୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡ଼ିଶା ଷ୍ଟେଟ୍ କାଉନସିଲ୍ ୨୦୨୨-୨୩ର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ମହାସଂଘ ପକ୍ଷରୁ ନିକଟରେ ଆୟୋଜିତ ପୁନର୍ଗଠିତ ଓଡ଼ିଶା ଷ୍ଟେଟ୍ କାଉନସିଲ୍ର ପ୍ରଥମ ବୈଠକ ଅବସରରେ ଏ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଏସାର ମିନ୍ମେଟ୍ ଲିମିଟେଡ୍ର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଶଶୀ ଶେଖର ମହାନ୍ତିଙ୍କୁ ସିଆଇଆଇ ଓଡ଼ିଶା ଷ୍ଟେଟ୍ କାଉନସିଲ୍ର ଉପାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ନାଲ୍କୋର ସିଏମ୍ଡି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ପାତ୍ର ନାଲ୍କୋର ଫାଇନାନ୍ସ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ଏହାଛଡା ଗତ ୩ ଦଶନ୍ଧି ଧରି ପିଏସ୍ୟୁଗୁଡିକର ଫାଇନାନ୍ସ ଏବଂ ଆକାଉଣ୍ଟସ୍ କାର୍ଯ୍ୟ ସମ୍ଭାଳିବାର ଅଭିଜ୍ଞତା ତାଙ୍କ ନିକଟରେ ରହିଛି। ସେହିପରି ମହାନ୍ତିଙ୍କର ଷ୍ଟିଲ୍ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଦୀର୍ଘ ୪୪ ବର୍ଷର ଅଭିଜ୍ଞତା ରହିଛି।