ୟୁଟ୍ୟୁବ୍‌ ଦେଖି ସୋଲାର ଅଟୋ ତିଆରି କଲେ ଶ୍ରୀକାନ୍ତ

ଭୁବନେଶ୍ୱର,୧୮।୭(ଅଭିଜିତ୍‌ ଦାସ):ପ୍ରଦୂଷଣ ହ୍ରାସ ଲାଗି ଏବେ ବ୍ୟାଟେରୀ ଚାଳିତ ବା ଇ-ଯାନବାହନର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏବେ ରାଜଧାନୀ ରାସ୍ତାରେ ଗଡ଼ୁଥିବା ଏକ ସୋଲାର ଅଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଜଣେ ଅଷ୍ଟମ ପଢ଼ୁଆ ଯୁବକ ୟୁଟ୍ୟୁବ୍‌ ଦେଖି ଏହାକୁ ତିଆରି କରିଥିବା ଜଣାପଡିଛି। ସେ ଏହାକୁ ନିଜେ ଚଳାଇ ପରିବାର ପ୍ରତିପୋଷଣ କରିବା ସହ ପରିବେଶ ସୁରକ୍ଷା ସହ ବିଦ୍ୟୁତ୍‌ ସଂରକ୍ଷଣ ନେଇ ସଚେତନ କରୁଥିବାରୁ ଏବେ ସବୁଠି ତାଙ୍କୁ ପ୍ରଶଂସା ମିଳୁଛି। ୩୫ ବର୍ଷିୟ ଶ୍ରୀକାନ୍ତ ହେଉଛନ୍ତି ପେଶାରେ ଜଣେ ଅଟୋ ଚାଳକ। ପରିବାର କହିଲେ ସ୍ତ୍ରୀ, ୨ଝିଅ ଓ ଗୋଟିଏ ପୁଅ। ସେ ଦୀର୍ଘ ୨୩ ବର୍ଷ ଧରି ରାଜଧାନୀରେ ଅଟୋ ଚଳାଉଥିଲେ। କରୋନା ସମୟରେ ବେପାର ବନ୍ଦ ହୋଇଯିବାରୁ ନିଜ ଗାଁ ନୟାଗଡକୁ ପଲାଇଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଫେରି ନୟାପଲ୍ଲୀରେ ରହିବା ସହ ଏକ ବ୍ୟାଟେରୀ ଚାଳିତ ଅଟୋ କିଣି ଚଳାଉଛନ୍ତି। ବିଜୁଳି ଦର ବଢ଼ୁଥିବାରୁ ଶ୍ରୀକାନ୍ତ କିପରି କମ୍‌ ଖର୍ଚ୍ଚରେ ଓ ବିନା ପ୍ରଦୂଷଣରେ ଅଟୋ ଚଳାଇବେ ସେଥିପାଇଁ ୟୁଟ୍ୟୁବ୍‌ ଭିଡିଓ ଜରିଆରେ ନିଜ ଅଟୋକୁ ସୌରଚାଳିତ କରିବାକୁ ଲାଗି ପଡିଲେ। ତାଙ୍କ କହିବା ଅନୁଯାୟୀ,ଏଥିପାଇଁ ତାଙ୍କୁ ୨ରୁ ୩ ମାସ ଲାଗି ଥିଲା। ସୌର ପ୍ୟାନେଲ, ପ୍ୟାନେଲ ବକ୍ସ, ବ୍ୟାଟେରୀ ଆଦି ସାମଗ୍ରୀ ଓଡିଶା ବାହାରୁ ଅନଲାଇନ୍‌ ମାଧ୍ୟମରେ କିଣିଥିଲେ। ତେବେ ଏଥିରେ ୧୧ ବର୍ଷିୟା ଝିଅ ଶ୍ରଦ୍ଧାଞ୍ଜଳି ବାପାଙ୍କୁ ସାହାଯ୍ୟ କରିଥିବାବେଳେ ସମୁଦାୟ ୫୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।

Share