Categories: ବାଣିଜ୍ୟ

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକୋତ୍ସବ ‘ସୂରଜ’ ଉଦ୍‌ଯାପିତ

ଭୁବନେଶ୍ୱର,୫।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ମଳିପଡ଼ାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକ ଉତ୍ସବ ‘ସୂରଜ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ.ପ୍ରସନ୍ନ କୁମାର ପାଟଶାଣୀଙ୍କ ସମେତ ବିଦ୍ୟାଳୟର ଚେୟାରମ୍ୟାନ ପବିତ୍ର କୁମାର ରାଉତରାୟ ପ୍ରମୁଖ ଯୋଗଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ବିଦ୍ୟାଳୟର ଫଳକ ଉନ୍ମୋଚନ ସହିତ ବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧିଜୀ ଓ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କ୍ରିଷ୍ଣା ଷ୍ଟାଡିୟମ, ଏରୋସ୍ପେସ୍‌ ଓ ବାର୍ଷିକ ଉତ୍ସବ ସୂରଜ ୨୦୨୪କୁ ଉଦ୍‌ଘାଟନ କରିଥିଲେ।

ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ନମ୍ରତା ସିଂ ସ୍ବାଗତ ସମ୍ଭାଷଣ ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ସେହିଭଳି ରାଜ୍ୟପାଳ ଆଧୁନିକ ଯୁଗରେ ଶିକ୍ଷାକୁ ପାଥେୟକରି ଛାତ୍ରୀଛାତ୍ରମାନେ କିପରି ଉଚ୍ଚସ୍ଥାନରେ ପହଞ୍ଚି ପାରିବେ ତା’ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିପରି ଡ. ପାଟଶାଣୀ କହିଥିଲେ, ବିଦ୍ୟାଳୟ ହିଁ ପିଲାମାନଙ୍କର ଜୀବନ ଓ ଦେଶ ଗଠନର ମୁଖ୍ୟସ୍ଥଳୀ ହୋଇଥିଲାବେଳେ ପିଲାମାନେ ସଂସ୍କାରୀ ହେବା ସହ ଚରିତ୍ରବାନ୍‌ ହେବା ଆବଶ୍ୟକ। ଅପରପକ୍ଷରେ ବିଦ୍ୟାଳୟର ଚେୟାରମ୍ୟାନ ରାଉତରାୟ ବିଦ୍ୟାଳୟ ଗଠନର ମୂଳ ଲକ୍ଷ୍ୟ ସମ୍ବନ୍ଧରେ କହିବା ସହ ପିଲାମାନଙ୍କୁ ଭଲ ପାଠ ପଢି ବଡ ମଣିଷ ହୋଇ ଜାତି ଓ ଦେଶ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷ ଓ କୃତୀ ଛାତ୍ରୀଛାତ୍ରମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ। ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ କବୀନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Share