ଶ୍ରୀଲିଙ୍ଗରାଜ ମନ୍ଦିର: ଆରମ୍ଭ ହେବ ନୂଆ ରୋଷଘର କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୧୩ା୧(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜଙ୍କ ଦୈନଦିନ ନୀତିରେ ଶଙ୍ଖୁଡ଼ି ଭୋଗ, ଅନ୍ନ ଭୋଗ ଲାଗି ହୋଇଥାଏ। ପ୍ରାଚୀନ କାଳରୁ ମନ୍ଦିର ବେଢା ପରିସରରେ ନୃସିଂହ ଦେବ ମନ୍ଦିର ପଛପଟେ ରହିଛି ଠାକୁରଙ୍କ ରୋଷଘର। ସମ୍ପ୍ରତି ଏଠାରେ ୪ରୁ ୫ଟି ରୋଷଚୁଲା ରହିଛି। ବିଭିନ୍ନ ସମସ୍ୟା ଦେଖାଦେବାରୁ ଏହି ରୋଷଘର ପଛପଟକୁ ୫ବର୍ଷ ପୂର୍ବେ ନୂତନ ରୋଷଘର ନିର୍ମାଣ ହୋଇଥିଲା। ଏଠାରେ ୨୦ରୁ ଊର୍ଦ୍ଧ୍ୱ ଚୁଲା ରହିଛି। ଏହି ରୋଷଘରୁ ପେଜପାଣି, ଅନ୍ନ, ବିଭିନ୍ନ ବ୍ୟଞ୍ଜନରୁ ଉଦ୍‌ବୃତ୍ତ ଖାଦ୍ୟ ପେଜ ନଳାରେ ଯାଇ ଜାମ ହେବା ଭଳି ବିଭିନ୍ନ ସମସ୍ୟା ଦେଖାଯାଉଛି। ଉକ୍ତ ନୂତନ ରୋଷଘର ମରାମତି କରିବାକୁ ଏଏସଆଇ ପକ୍ଷରୁ ବର୍ଷେ ପୂର୍ବରୁ ଟେଣ୍ଡର ସରିଥିଲା। କୌଣସି କାରଣରୁ ରୋଷଘର କାର୍ଯ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଏବେ ଏହି କାର୍ଯ୍ୟ କରିବା ପାଇଁ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସଂକ୍ରାନ୍ତି ପରେ ନୂତନ ରୋଷଘରର ପୁନରୁଦ୍ଧାର କାର୍ଯ୍ୟ ହେବା ନେଇ ଏଏସଆଇ ସଂରକ୍ଷଣ ଅଧିକାରୀ ମାନସ ରଞ୍ଜନ ସାହୁ କହିଛନ୍ତି। ରୋଷଘର ହସ୍ତାନ୍ତର ପରେ ଠାକୁରଙ୍କ ନୀତିକାନ୍ତିକୁ ଗୁରୁତ୍ୱ ଦେଇ ପ୍ରଥମେ ବିଭିନ୍ନ ସମସ୍ୟା ଯାଞ୍ଚ କରାଯିବ ଏବଂ ପରେ ମରାମତି କାମ ହେବ ବୋଲି ସାହୁ କହିଛନ୍ତି।

Share