ସ୍ବର୍ଣ୍ଣାଦ୍ରି ବିଜେ କଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୧୬ା୪(ଡିଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜ ଶୁକ୍ରବାର ସ୍ବର୍ଣ୍ଣାଦ୍ରି ବିଜେ କରିଛନ୍ତି। ଗୁରୁବାର ଶ୍ରୀଜୀଉମାନେ ରଥଖଳାରେ ରଥରେ ରହିଥିଲେ। ପାଞ୍ଚ ଦିନିଆ ରୁକୁଣା ରଥଯାତ୍ରାରେ ଶ୍ରୀଲିଙ୍ଗରାଜ ଭଉଣୀ ରୁକୁଣା ଦେବୀ ଓ ପ୍ରଭୁ ଦୋଳଗଗୋବିନ୍ଦଙ୍କୁ ସାଙ୍ଗରେ ଧରି ରାମେଶ୍ୱର ମନ୍ଦିର ଯାତ୍ରା କରିଥିଲେ। ଗୁରୁବାର ରଥଖଳାରେ ଫେରନ୍ତା ରୁକୁଣା ରଥ ଆସି ପହଞ୍ଚିଥିଲା। ୬ଦିନ ପଡୁଥିବାରୁ ଠାକୁର ସ୍ବମନ୍ଦିର ଯାତ୍ରା କରିପାରି ନ ଥିଲେ। ତେଣୁ ବିଧିମୁତାବକ ଶୁକ୍ରବାର ପ୍ରାତଃରୁ ମନ୍ଦିରରେ ଆଳତି, ଅବକାଶ କରାଯାଇଥିଲା। ଏହା ପରେ ଚାହାଣୀ ମଣ୍ଡପରେ ଥିବା ମା’ପାର୍ବତୀ ଓ ରଥରେ ଥିବା ଶ୍ରୀଜୀଉଙ୍କ ନିକଟରେ ଦୁଇ ଜଣ ପୂଜାପଣ୍ଡା ଏକସଙ୍ଗେ ମଙ୍ଗଳ ଆଳତି କରିଥିଲେ। ରୋଷହୋମ କରାଯାଇ ଅନ୍ୟାନ୍ୟ ନୀତି ହୋଇଥିଲା। ଭୋଗ ମଣ୍ଡପ ସରିବା ପରେ ମା’ପାର୍ବତୀ ଓ ରଥ ଉପରେ ପୁନଃ ଏକାସଙ୍ଗେ ସକାଳଧୂପ, ଦ୍ୱିପ୍ରହର ଧୂପ ନୀତି କରାଯାଇଥିଲା। ଦ୍ରିପ୍ରହର ଧୂପରେ ରଥ ଉପରେ ୨ଟି ହାଣ୍ଡିରେ ଅଧରପଣା ଭୋଗ କରାଯାଇଥିଲା। ତେବେ ପୂଜା ସରିବା ପରେ ଗୋଟିଏ ହାଣ୍ଡି ପଣାକୁ ରଥ ଉପରେ ଭାଙ୍ଗିଦିଆଯାଇଥିଲା। ପରେ ଶ୍ରୀଜୀଉମାନେ ପହଣ୍ଡିରେ ବାହାରିଥିଲେ। ରଥ ଉପରେ ଦୁଇ ଜଣ ପୂଜାପଣ୍ଡା ଓ ଚାହାଣୀ ମଣ୍ଡପରେ ଜଣେ ପୂଜାପଣ୍ଡାଙ୍କ ଦ୍ୱାରା ବିଭୀଷଣ ଆଳତି କରାଯାଇଥିଲା। ବାଜା, ବାଣ, ଆତସବାଜି, ଘଣ୍ଟଘଣ୍ଟା, କାହାଳି, ମସାଲ ଛତା, ବନାଟୀ ଶୋଭାଯାତ୍ରରେ ସ୍ବମନ୍ଦିର ପ୍ରବେଶ କରିଥିଲେ। ଦକ୍ଷିଣ ଘର ଠାରେ ଶ୍ରୀଲିଙ୍ଗରାଜ ପହଞ୍ଚିବା ପରେ ମା’ପାର୍ବତୀ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ। ପରେ ଦୁଇ ଜଣ ପୂଜାପଣ୍ଡାଙ୍କ ଦ୍ୱାରା ବଚନିକା ମାଧ୍ୟମରେ ପ୍ରଭୁ ଲିଙ୍ଗରାଜ ମା’ପାର୍ବତୀଙ୍କୁ କହିଥିଲେ, ରଥରେ ସିନା ନେଇ ନ ଥିବାରୁ ଅଭିମାନ କରିଛ। ଆଗାମୀ ୨୨ଦିନିଆ ଚନ୍ଦନ ଯାତ୍ରାରେ ତୁମକୁ ସଙ୍ଗରେ ନେଇ ବିନ୍ଦୁ ସାଗରରେ ଚାପକ୍ରୀଡ଼ା କରିବି। ଏହା ପରେ ମା’ପାର୍ବତୀଙ୍କ ମାନଭଞ୍ଜନ ହୋଇଥିଲା। ମା’ପାର୍ବତୀ କବାଟ ଖୋଲିବା ପରେ ଶ୍ରୀଜୀଉଙ୍କ ନିକଟରେ ଭେଟ ଆଳତି କରାଯାଇ ଅନ୍ୟାନ୍ୟ ନୀତି ହୋଇଥିଲା। ଏହା ପରେ ଠାକୁର ସ୍ବର୍ଣ୍ଣାଦ୍ରି ବିଜେ କରିଥିଲେ।

Share