ଶ୍ରୀଲିଙ୍ଗରାଜଙ୍କ ରୋଷଘର ମରାମତି ହେଉ

ପୁରୁଣା ଭୁବନେଶ୍ୱର,୩୧ା୧୦ (ଡି.ଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦୈନନ୍ଦିନ ନୀତିକାନ୍ତି ସେବା ସମ୍ପାଦନ ପାଇଁ ଛତିଶା ନିଯୋଗ ନିୟୋଜିତ ଅଛନ୍ତି। ସେହିଭଳି ନୀତିକାନ୍ତିରେ ଶଙ୍କୁଡ଼ି ଏବଂ ଶୁଖିଲି ଭୋଗ ଠାକୁରଙ୍କ ପାଖରେ ଲାଗି ହୋଇଥାଏ। ଏହି ଭୋଗ ପ୍ରସ୍ତୁତ ପାଇଁ ମନ୍ଦିର ପରିସରରେ ସ୍ବତନ୍ତ୍ର ରୋଷଘର ରହିଛି। ଯାହା କୋଠରୋଷ ଗୃହ ନାମରେ ନାମିତ। ତେବେ ବରାଦି ପ୍ରସାଦ ପାଇଁ ଏଥିରେ ସଂଲଗ୍ନ ଅନ୍ୟ ୪ଟି ରୋଷଘର ରହିଛି। ସମ୍ପ୍ରତି ଏହି ରୋଷ ଘର ବିଭିନ୍ନ ସମସ୍ୟାରେ ଗତି କରୁଛି। ଛାତରୁ ପାଣି ଗଳିବା ସହ କେଉଁଠି ସ୍ଲାବ୍‌ ଖସୁଛି। ଚଟାଣରେ ପଡ଼ିଥିବା ପଥର ଅବକ୍ଷୟ ହେବାରୁ ମୂଷା ଗାତ କରିଥିବା ଦେଖିବାକୁ ମିଳିଛି। କୋଠ ରୋଷଘରେ ଅନ୍ନପ୍ରସାଦ ସହ ଶୁଖିଲି ଭୋଗ ଭାବେ ଆରିସା, କାନ୍ତି, ହଂସକୁଳି, ଖଚ୍ଚୁର, ସୋଧୁଅ ଆଦି ଭୋଗ ପ୍ରସ୍ତୁତ କରଯାଇଥାଏ। ପ୍ରତ୍ୟହ ପ୍ରତ୍ୟେକ ଧୂପରେ ରୋଷଘରର ଆବଶ୍ୟକତା ରହିଛି। ଏଠାରେ ଥିବା ଅନେକ ଚୁଲି ଭାଙ୍ଗିରୁଜି ଯାଇଥିବା ବେଳେ ବରାଦି ପ୍ରସାଦ ପାଇଁ କେବଳ ୨୦/୨୨ଟି ଚୁଲି ରହିଛି। ଅନ୍ୟପଟେ ନଳା ପୋତି ହୋଇଯିବାରୁ ରୋଷଘରୁ ନିର୍ଗତ ପେଯ ଓ ପାଣି ନିଷ୍କାସନ ହୋଇପାରୁ ନାହିଁ। ଏନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ରୋଷଘରର ମରାମତି ପାଇଁ ଦାବି ହେଉଛି। ମରାମତି ଦାୟିତ୍ୱରେ ଥିବା ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ କୁହନ୍ତି, ରୋଷଘର ମରାମତି ନେଇ ବର୍ଷେ ପୂର୍ବରୁ ଟେଣ୍ଡର ହୋଇଥିଲା। ଅନେକ କାର୍ଯ୍ୟ ମଧ୍ୟ ସରିଛି। ତେବେ ସେବାୟତଙ୍କ ଅସହଯୋଗ ଯୋଗୁ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ବୋଲି ସେ କହିଛନ୍ତି।

Share