ପୁରୁଣା ଭୁବନେଶ୍ୱର,୧୦ା୮(ଡି.ଏନ୍.ଏ.): ଦୁଇ ପ୍ରମୁଖ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁ ମଙ୍ଗଳବାର ରାତି ୯ଟା ରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି। ତେବେ ବୁଧବାର ହେବାକୁ ଥିବା ଠାକୁରଙ୍କ ପବିତ୍ରାରୋପଣ ନୀତି ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ସୂଚନା ମତାବକ, ପ୍ରାତଃରୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରରେ ଚାଲିଥିଲା। ଠାକୁରଙ୍କ ପବିତ୍ରାରୋପଣ ନୀତି ପାଇଁ ବଡୁସେବକମାନେ ପଇତା ନ ଧୋଇବା ଏବଂ ମନ୍ଦିରରେ ପୂଜାପଣ୍ଡା ସେବକମାନେ ହୋମ, ଅଧିବାସ ନ କରିବାରୁ ଠାକୁରାଣୀ ସନ୍ଧ୍ୟାଧୂପ ଠାରୁ ଶ୍ରୀଜୀଉଙ୍କ ନୀତି ସମ୍ପୂୂର୍ଣ୍ଣ ବନ୍ଦ ରହିଥିବା ନେଇ ପୂଜାପଣ୍ଡା ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୧୯ ପର୍ଯ୍ୟନ୍ତ ପରମ୍ପରା ଅନୁଯାୟୀ ପବିତ୍ରାରୋପଣ ଦିନ ପୂଜାପଣ୍ଡା ସେବାୟତ ୩ଟି ଓ ବଡ଼ ସେବାୟତ ୨୪ଟି ପଇତା ଶ୍ରୀଜୀଉଙ୍କୁ ଲାଗି କରିଥାନ୍ତି। ୨୦୨୦ରୁ ପୂଜାପଣ୍ଡା ସେବାୟତ ଏଥିରୁ କୌଣସି କାରଣରୁ ବଞ୍ଚିତ ହେବାରୁ ବିଭ୍ରାଟ ଦେଖାଦେଇଥିଲା। ଏହି ଘଟଣାକୁ ନେଇ ଏକ ମାମଲା ଦେବୋତ୍ତର କମିଶନରଙ୍କ ନିକଟରେ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି।