ନଟଖଟିଆ ନଟବରବାବୁ ବନାମ ମୋ ସାଙ୍ଗ ନଟିଆ ଯେମିତି ଢଙ୍ଗରେ ମୁହଁକୁ ଶୁଖେଇ ଆସୁଥିଲା, ତାକୁ ଦେଖି ମୋ ହାଲୁକ ଶୁଖିଗଲା । ମତେ ଲାଗୁଥିଲା କିଛି ଅଘଟଣ ପାଇଁ ତା’ ଅନ୍ତରାତ୍ମାକୁ ଖୁବ୍ ବାଧିଥିବାରୁ ବୋଧେ ସେ ଆତ୍ମହତ୍ୟା କରିବାକୁ ଯାଉଛି । ତାକୁ ଅଟକେଇ ପଚାରିଲି, ”ନଟରେ! ତୁ କ’ଣ ସତରେ ଆତ୍ମହତ୍ୟା କରିଦେବୁ?“ ଚାଉଁକିନା ଚମକି ପଡ଼ି ମତେ କହିଲା – ”ତୁ କେମିତି ଜାଣିଲୁ ?“ ତାକୁ ବୁଝେଇ କହିଲି, ଆମ୍ଭେ ଲେଖକ, କବି ସବୁ ମୁହଁର ଛବି ଦେଖି ଭାବି ପେଟକଥା କହିଦେଇପାରୁ ଯେମିତି ସୂଚୀପତ୍ରରୁ ବହିଭିତର ବିଷୟବସ୍ତୁ ଜଣାଗଲା ପରି । ତେବେ କ’ଣ ପାଇଁ ଜୀବନ ପ୍ରତି ଏତେ ବିତୃଷ୍ଣା ସାଙ୍ଗ ବୋଲି ମୋ ଆଗରେ ସତ କହ । ଚାପି ରଖିଥିବା କ୍ରୋଧଭରା କୋହ, ବଢ଼ିପାଣି ବନ୍ଧ ଭାଙ୍ଗି ମାଡ଼ିଗଲା ପରି ଭେଁଭେଁ ରଡ଼ିକରି କହିଲା, ମୋ ସ୍ତ୍ରୀ ପାଇଁ ମୁଁ ମରିବାକୁ ଯାଉଥିଲି । ନାଇଁ ନାଇଁ ମତେ ଘରଭିତରେ ଯାହା କହୁଥିଲୁ କି ପିଟୁଥିଲୁ ମୁଁ ସହୁଥିଲି । ହେଲେ କାଲି ଦାଣ୍ଡରେ ସବୁ ଲୋକଙ୍କ ଆଗରେ… ଏମିତି ଠିଆ ଗୋଇଠା ମାରିଲା ଯେ, ମୁଁ ନଟୁ ପରି ଘିରିଘିରି ତଳେ ପଡ଼ିଲାବେଳକୁ ସେ ଅଭଦ୍ର ଲୋକଗୁଡ଼ା କିରିକିରି ହୋଇ ହସିହସି ଗଡୁଥିଲେ । ଧିକ୍ ମୋ ପୁରୁଷପଣିଆ- ଧିକ୍ ମୋ ଜୀବନ । ସମସ୍ତଙ୍କ ସାମନାରେ ଯୋଉ ବେଇଜ୍ଜତ କଲା, ଭାବୁଛି ଘର ପଛେ ପୋଡୁ – ଛାରପୋକ ମରିବା ନ୍ୟାୟରେ ମୁଁ ମରିବି – ତାକୁ ବିଧବା କରି ବୁଦ୍ଧି ଶିଖେଇବି ।
ତା’ର ଏମନ୍ତ ଧୈର୍ଯ୍ୟହରା ଦେଖି କହିଲି, ଧ । ସେ ଧରିବାକୁ ଆସୁ ଆସୁ କହିଲି ଆରେ ମତେ ନୁହଁ, ଧୈର୍ଯ୍ୟ ଧ । ଆଚ୍ଛା କହିଲୁ, କ’ଣ ପାଇଁ ତତେ ଭାଉଜ ଏମିତି ଶକତ ଗୋଇଠା ମାରିଲା ? କହିଲା, ତୁ ତ ଜାଣୁ ମୁଁ ପିଏ। ମୁଁ କହିଲି ତୁ କିରାଣି ଚାକିରି କରି କେବେଠୁ କାହାର ପିଏ ହେଲୁଣି ? ମାନେ ଭାଉଜଙ୍କ ପର୍ସନାଲ ଆସିଷ୍ଟାଣ୍ଟ ତ ? ମୁରୁକି ହସି କହିଲା, ”ଆରେ ନାଇଁରେ। ମୁଁ ମାନୁଛି ନିଇତି ମାଲ୍ ପିଏ । ହେଲେ ମୁଁ କ’ଣ କାହା ବୋପା ପଇସାରେ ପିଏ? ମୋ ମେହନତି କମେଇରେ ମୁଁ ମାଲ୍ ପିଇଲି କି ଆଉ କୋଉଠି ଟଙ୍କା ଉଡ଼େଇଲି- ସେ କଥା କହିବାକୁ ସିଏ କିଏ ? ନା, ଏ ଗୋଇଠା ମାଡ଼ର ବଦଲା ନେବି ା ଆତ୍ମହତ୍ୟା କରିଦେବି । “
କରି ତା’ କଥା ଶୁଣୁଶୁଣୁ କହିଲି ତୁ ମହାଭାଗ୍ୟବାନ୍ । ଯିଏ ସ୍ତ୍ରୀ କିମ୍ବା ଅନ୍ୟଠୁ ଗୋଇଠା ମାଡ଼ ଖାଆନ୍ତି, ସେମାନେ ନରରୁ ନାରାୟଣ ମାନେ ଭଗବାନ ପାଲଟିଯା’ନ୍ତି । ହେଇ ଦେଖ ଛୁଆ ଯେତେବେଳେ ମା’ ଗର୍ଭରେ ଥାଏ, ଯେତେ ଗୋଇଠା ମାଡ଼ ଦେଉଥାଏ, ମା’ ସେତେ ଖୁସିହୁଏ । ଜନ୍ମପରେ କୋଳରେ ଧରିଲାବେଳେ ଯେତେ ଯେତେ ଗୋଇଠା ମାଡ଼ ଗୋଡ଼ ହଲେଇ ପିଟୁଥାଏ – ମା’ ସେତେ ହସୁଥାଏ । ବାପା କି ମା’ ସାନବେଳରୁ ପିଲାର ଗୋଇଠା ମାଡ଼ ଖାଇ ଖୁସି ହୁଅନ୍ତି ବୋଲି ମାତାପିତାଙ୍କୁ ଭଗବାନ୍ ବୋଲି କହନ୍ତି । ତା’ଛଡ଼ା ଶ୍ରୀବତ୍ସ ବ୍ରାହ୍ମଣ ଭଗବାନଙ୍କ ଛାତିକି ଗୋଇଠା ମାରିଲା । ନାରାୟଣ ଭକ୍ତ ଶ୍ରୀବତ୍ସ ପାଦକୁ ଆଉଁଶି କହିଲେ- ଲୋକେ କହନ୍ତି ମୋର କୁଆଡ଼େ କଠିନ ହୃଦୟ ପଥର ଛାତି । ତା’ ପାଦକୁ କେଡ଼େ କଷ୍ଟ ଲାଗି ନ ଥିବଟି । ଶ୍ରୀକୃଷ୍ଣ ବି ଶ୍ରୀରାଧାଙ୍କ ପାଦକୁ ଧରି କହୁଥିଲେ ”ସ୍ମରଗରଳ ଖଣ୍ଡନଂ ମମଶିରସି ମଣ୍ଡନଂ ଦେହି ପଦ ପଲ୍ଲବ ମୁଦାରମ୍ । “ ପ୍ରିୟାର ପାଦ ମଥାରେ ରଖିଲେ କୁଆଡ଼େ ସବୁ ପୀଡ଼ା ପଳାଏ । ଆଉ ତୋ ପତ୍ନୀଙ୍କ ପଦାଘାତରେ ଯଦି ମଦ୍ୟପାନର ନିଶା ସହିତ ଦେହର ପୀଡ଼ା ନ ଯାଇଥାନ୍ତା, ତେବେ କ’ଣ ସେଇଠୁ ଉଠି ଏଯାଏ ଆସିପାରିଥାନ୍ତୁ ? କଥାରେ ଅଛି, ପତ୍ନୀଙ୍କ ଗୋଇଠା ଯାହାଠି ବାଜଇ / ଦିବ୍ୟଜ୍ଞାନ ତା’ଠି ଉଦେ ହୋଇ । ଯେମିତି କାଳୀଦାସ ପତ୍ନୀଙ୍କଠାରୁ ଗୋଇଠା ମାଡ଼ ଖାଇଲାପରେ ମହାମୂର୍ଖରୁ କେତେବଡ଼ କବି ହୋଇଗଲେ । ତେଣୁ ପତ୍ନୀ ପାଦ ତୋ’ଠି ବାଜିଛି ମାନେ, ତୁ ଭଗବାନ ତୁଲ୍ୟ ଦିନେ ଜଗତ ବିଖ୍ୟାତ ହେବୁ ବୋଲି ମୋ ମନ କହୁଛି ା ଯା ତା’ ଚରଣ ଧରି ଆଉଁଶି ପକା ା ଆହା ! ତୋ ଟାଣୁଆ ଦେହରେ ବାଜି ତା’ କୋମଳ ପାଦକୁ କେଡ଼େ କଷ୍ଟ ହୋଇ ନ ଥିବ ସତେ !
ଆଚ୍ଛା ବିଜ୍ଞ, ରାଜନେତାମାନେ ବଡ଼ ହେବାପାଇଁ ସାଧୁ ଭେକଧାରୀ ନକଲିବାବାଙ୍କ ପଦଧୂଳି ମୁଣ୍ଡରେ ବୋଳି, ଚରଣାମୃତ ପାନକରି ରାଇଜ ବିଖ୍ୟାତ ହୋଇଛନ୍ତି ଆପଣାର ଗାଢ଼ ବିଶ୍ୱାସ ବଳରେ । ବିଶ୍ୱାସରେ ପଥର ବି ଦେବତା ହୋଇଯା’ନ୍ତି । ଆଉ ମଣିଷ ତ ଜୀବନ୍ତ । କେତେ ଭଣ୍ଡଙ୍କ ଗୋଇଠା ମାଡ଼ ଖାଇ ବିଶ୍ୱାସ ବଳେ ଦୁରାରୋଗ୍ୟ ବ୍ୟାଧି ବି ଭଲହୋଇଯିବାର ଶୁଣାଯାଏ ା ତୁ ମହାଭାଗ୍ୟବାନ୍ ଯିଏ ଅଯାଚିତ ପଦାଘାତ ପତ୍ନୀ ତରଫରୁ ପ୍ରାପ୍ତି ହୋଇଛି ।
ଏଥର ନଟିଆ ମତେ କୁଣ୍ଢେଇ କହିଲା, ହଁ ତ । ତୁ ଏତେ ଶାସ୍ତ୍ର ପୁରାଣର ଉଦାହରଣ ଦେଇ କ’ଣ କେବେ ମିଛ କହିପାରୁ ? ନା ସତ ପୂରା ସତ। ତା’ଛଡ଼ା ମୁଁ ସିନା ମରଦ ହେଇ ମଦ ପିଇବାରୁ ପଦାଘାତ ହେଲା ! ମୁଁ ହସିହସି କହିଲି, ହେଇ, ତୋର ବି ଦିବ୍ୟଜ୍ଞାନ ଫୁଟିଲାଣି, ଭୁଲ୍ ବୁଝିଲୁଣି ।
କଥାରେ ପମ୍ପ ନ ଥିବା ଫୁଟ୍ବଲ୍ ପୁନଃ ଫୁଲି ଡେଇଁଲା ଭଳିଆ ଡେଇଁ ଡେଇଁ ଯାଇ ପତ୍ନୀ ପାଦ ଆଉଁଶି ସବୁ ଭୁଲ୍ ସ୍ବୀକାର କରି ମଦ ଛାଡ଼ିବାର ସଂକଳ୍ପ ନେଇଗଲା । ଭୁଲ୍ ମାନି କହିଲା, ଧନ୍ୟରେ ନାରୀ । ଗୋଇଠା ପ୍ରଦାନକାରୀ, ଜ୍ଞାନଦାତ୍ରୀ ା ତୁମ ପଦାଘାତ ବଳରେ ବନ୍ଧୁଦର୍ଶନ ଓ ମୋର ଦିବ୍ୟଜ୍ଞାନ ଉଦୟ ସିନା ହେଲା ।
ଫକୀରମୋହନଙ୍କ ଲେଖାରେ ମଦୁଆ ଚନ୍ଦ୍ରମଣିଙ୍କୁ ପତ୍ନୀ ସୁଲୋଚନା ଝାଡୁରେ ବାଡ଼େଇବା ପରେ ଯେମିତି ଅନୁତାପ କରି କ୍ଷମା ମାଗିଥିଲେ ଠିକ୍ ସେମିତି ନଟିଆ ପତ୍ନୀ ସୁଲକ୍ଷଣା ପାଦଧରି ପତିଙ୍କୁ କ୍ଷମା ମାଗି କହିଲେ, ”ଯେତେହେଲେ ତମେ ମୋର ସ୍ବାମୀ – ଇହ ପର କାଳ ଦେବତା । ମତେ କ୍ଷମା କରିଦିଅ ା“
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ, ମୋ : ୭୦୦୮୧୮୮୮୪୭