ପୁରୀ ଅଫିସ, ୧।୧୨: ଧର୍ମମାସ କାର୍ତ୍ତିକ ଶେଷ ହୋଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସୋମବାର ରତ୍ନ ସିଂହାସନରେ ଦାରୁଦିଅଁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ଦାରୁବିଗ୍ରହଙ୍କ ସୁନାବେଶ ହୋଇଥିଲା। ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ଭୂଷିତ କରିଥିଲେ। ଏହି ବେଶରେ ଶ୍ରୀବିଗ୍ରହମାନେ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ। ସୁବର୍ଣ୍ଣ ଶ୍ରୀଭୁଜ, କିରୀଟ, ଶ୍ରୀପୟର, କାନ, କଦମ୍ବମାଳି, ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘ ନଖିମାଳି, ସେବତୀ ମାଳି, ହଳମୁଷଳ, ଚକ୍ର, ତ୍ରିଶାଖା, ଅଳକା, ଶ୍ରୀମୁଖ ପଦ୍ମ, ରୁପା ଶଙ୍ଖ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ତିଳକ (ଚିତା), ଘାଘଡ଼ା ମାଳି, କୁଣ୍ଡଳ ଓ ତଡ଼ଗୀ ଲାଗି ହୋଇଥିଲେ। ଠାକୁରମାନଙ୍କ ମସ୍ତକରେ ସ୍ବର୍ଣ୍ଣ କିରୀଟ ଶୋଭା ପାଉଥିଲା। ତେବେ ମହାପ୍ରଭୁଙ୍କ ଏହି ବେଶକୁ ଭକ୍ତ ଦେଖିପାରି ନ ଥିଲେ। କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ବାରଣ ଥିବାରୁ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ମାତ୍ର ପତିତପାବନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏଥିଲାଗି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।