କଟକ ଅଫିସ,୨୧।୪: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ପ୍ରକଳ୍ପ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ ଏଏସ୍ଆଇକୁ ହାଇକୋର୍ଟ ଜବାବ ମାଗିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କ’ଣ ନିର୍ମାଣ ହେଉଛି? ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ରହିଛି ନା ନାହିଁ? ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି ନା ନାହିଁ? ଏହି ୩ଟି ପ୍ରସଙ୍ଗରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଗୁରୁବାର ଏଏସ୍ଆଇ ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଓ ରାଜ୍ୟ ସରକାରଙ୍କ ତରଫରୁ ଏ ନେଇ ବିସ୍ତୃତ ରିପୋର୍ଟ ଦାଖଲ ହୋଇପାରି ନାହିଁ। ଏଥିପାଇଁ ସେମାନେ ଅଧିକ ସମୟ ମାଗିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଓ ଏଏସ୍ଆଇ ବିଶେଷଜ୍ଞ ଟିମ ଦ୍ୱାରା ମିଳିତ ଭାବେ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବାକୁ ପୁନଃ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ଏକ ଇଣ୍ଟରଭେନିଂ ପିଟିଶନ ମଧ୍ୟ ହାଇକୋର୍ଟରେ ଦାୟର କରାଯିବ। ମେ’ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି।