ପୁରୀ ଅଫିସ, ୧୧ା୧: ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଏହି ନୀତି ସମୟରେ ଅର୍ଥାତ୍ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ, ଶ୍ରୀବିଗ୍ରହମାନଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ସମ୍ପନ୍ନ ହୋଇ ପାଣି ପଡ଼ି ମଇଲମ, ତଡ଼ପଲାଗି ଓ ପହୁଡ଼ ଆଳତି ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଏଥିସହ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ। ବନକ ଲାଗି ନୀତି ସମ୍ପାଦନ ଲାଗି ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବେ। ସେମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର ସାରି ଫେରିବା ପରେ ଅନ୍ୟାନ୍ୟ ନୀତି ହେବ। ବନକଲାଗିରେ ମୁଖ୍ୟତଃ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଇଥାଏ।