Categories: ଖେଳ

୨୫୦ ରେକର୍ଡ କ୍ଲବ୍‌ରେ ଶ୍ରୀନାଥ

ପୂର୍ବତନ ଭାରତୀୟ ପେସ୍‌ ବୋଲର ଜାଭାଗଲ ଶ୍ରୀନାଥଙ୍କ କୃତିତ୍ୱ ଦେଶକୁ ଗର୍ବିତ କରିଛି। ବୋଲିଂ ଅନୁଶାସନରେ ଯେଭଳି ନାଁ କମେଇଥିଲେ କ୍ରିକେଟ ଅଫିସିଆଲ ଭାବେ ମଧ୍ୟ ସେ ଅନୁରୂପ ସଫଳତା ପାଇଛନ୍ତି। ଏକଦିବସୀୟ ଅନ୍ତର୍ଜାତୀୟରେ ମ୍ୟାଚ୍‌ ରେଫରି ଭାବେ ସେ ୨୫୦ଟି ମ୍ୟାଚ୍‌ ପରିଚାଳନା କରି ଏହି ରେକର୍ଡ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ଏସିଆ କପ୍‌ ଚାମ୍ପିୟନଶିପ୍‌ରେ ଭାରତ-ନେପାଳ ଦିନିକିଆ ମ୍ୟାଚ୍‌ ପରିଚାଳନା କରି ଶ୍ରୀନାଥ ଏହି ଅପୂର୍ବ ସଫଳତା ପାଇଥିଲେ। ୫୪ବର୍ଷୀୟ ଶ୍ରୀନାଥ ୬୭ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨୩୬ ଉଇକେଟ୍‌ ଏବଂ ୨୨୯ଟି ଦିନିକିଆ ଖେଳି ୩୧୫ ଉଇକେଟ ହାସଲ କରିଥିଲେ। କ୍ରିକେଟର ଭାବେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୦୩ ମସିହାରେ ଶେଷ ହୋଇଥିଲା। ୨୦୦୬ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ମ୍ୟାଚ୍‌ ରେଫରି ମନୋନୀତ ହୋଇଥିଲେ। ଏହା ପୂର୍ବରୁ ରେଫରି ରଞ୍ଜନ ମଦୁଗଲ, ଖ୍ରୀସ୍‌ ବ୍ରଡ୍‌ ଓ ଜେଫ୍‌ କ୍ରୋ ୨୫୦ ଦିନିକିଆ ମ୍ୟାଚ୍‌ କ୍ଲବ୍‌ରେ ପ୍ରବେଶ କରିଥିଲେ। ଶ୍ରୀନାଥ ଏହି ସଫଳତା ପାଇବାରେ ବିଶ୍ୱର ଚତୁର୍ଥ ବ୍ୟକ୍ତି। ଏହା ସହିତ ଏଭଳି ମାଇଲଖୁଣ୍ଟ ଅର୍ଜନ କରିବାରେ ସେ ଭାରତରେ ପ୍ରଥମ। ଏଥିପାଇଁ ତାଙ୍କୁ ୧୭ବର୍ଷ ସମୟ ଲାଗିଲା। ଶ୍ରୀନାଥ ତାଙ୍କ ପ୍ରତିକ୍ରିୟାରେ ଏହି ସଫଳତାକୁ ଅନନ୍ୟ ବୋଲି ପ୍ରକାଶ କରିଛନ୍ତି। କ୍ରିକେଟର ଭାବେ ସେ ଖେଳିଥିବା ୨୨୯ଟି ଦିନିକିଆ ମ୍ୟାଚ୍‌ ଅପେକ୍ଷା ତାଙ୍କ ମ୍ୟାଚ୍‌ ସଂଖ୍ୟା ୩୧ଟି ଅଧିକ ରହିଛି। ୨୦୦୬ ମସିହାରେ କଲମ୍ବୋରେ ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ୍‌ରେ ଶ୍ରୀନାଥଙ୍କର ଅନ୍ତର୍ଜାତୀୟ ରେଫରି ଜୀବନ ଆରମ୍ଭ ହୋଇଥିଲା। ୨୦୦୬ ମସିହାରେ ଆଇସିସି ଏଲିଟ୍‌ ପ୍ୟାନେଲରେ ସାମିଲ ହୋଇଥିଲେ। ୨୦୦୬ ମସିହାରେ ପ୍ରଥମ ଦିନିକିଆ ମ୍ୟାଚ୍‌ ପରିଚାଳନା କରିଥିଲେ। ୨୦୦୭ ଆଇସିସି ପୁରୁଷ ବିଶ୍ୱ କପ୍‌ରେ ରେଫରି ଦାୟିତ୍ୱ ତୁଲାଇଥିଲେ। ସେହିପରି ୨୦୦୯ ଓ ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ୨୦୧୨, ୨୦୧୪, ୨୦୧୬ ଓ ୨୦୨୧ ଟି୨୦ ବିଶ୍ୱ କପ୍‌, ୬୫ଟି ଅନ୍ତର୍ଜାତୀୟ ଟେଷ୍ଟ, ୧୧୮ଟି ଅନ୍ତର୍ଜାତୀୟ ପୁରୁଷ ଟି୨୦ ଏବଂ ୧୬ଟି ଅନ୍ତର୍ଜାତୀୟ ମହିଳା ଟି୨୦ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ନିର୍ବାହ କରିଛନ୍ତି।

ସ୍ବାଗତ ସମ୍ପଦ

Share