ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି କମାସାହିଠାରେ ବିଜେ ଶ୍ରୀବାଲାଜୀ ଏବଂ ଠାକୁରାଣୀ ଛକରେ ବିଜେ ଶ୍ରୀ ରଘୁନାଥଙ୍କ ପବିତ୍ର ରାମନବମୀ ଯାତ୍ରା ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଗତ ୬ ତାରିଖ ଠାରୁ ପ୍ରତ୍ୟହ ଉଭୟ ମନ୍ଦିରରେ ଶ୍ରୀରାମଙ୍କ ଜନ୍ମୋତ୍ସବ ବିହିତ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ସଂଧ୍ୟାରେ ଶ୍ରୀ ବାଲାଜୀ ମହାପ୍ରଭୁ ବାଦ୍ୟବାଜଣା ଓ ସାଂସ୍କୃତିକ ନୃତ୍ୟ ଦଳ ଗହଣରେ ଶ୍ରୀରଘୁନାଥଙ୍କ ମଠରେ ପହଞ୍ଚିବା ପରେ ଉଭୟ ଶ୍ରୀ ରଘୁନାଥ ଓ ଶ୍ରୀ ବାଲାଜୀ ମହାପ୍ରଭୁଙ୍କୁ ମିଳିତ ଭାବେ ନଗର ପରିକ୍ରମା କରାଯାଇଥିଲା। ବାଲାଜୀ ମଠ ନିକଟରେ ମହାପ୍ରଭୁଙ୍କ ବିଧି ପୂର୍ବକ ପୂଜା ଓ ଆଳତୀ ଦର୍ଶନ ପାଇଁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ସେଠାରୁ ଶ୍ରୀ ରଘୁନାଥ ମହାପ୍ରଭୁ ନିଜ ମନ୍ଦିରକୁ ଫେରିବା ପରେ ଠାକୁରାଣୀ ଛକରେ ବ୍ରହ୍ମପୁର ସହରର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହିଭଳି ପ୍ରତ୍ୟହ ସଂଧ୍ୟାରେ ଶ୍ରୀ ବାଲାଜୀ ମଠରେ ଭଜନ ସମାରୋହ ପରିବେଷିତ ହେବା ସହ ଶେଷ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତ ଲୀଳା ନାଟକ ପରିବେଷିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବାଲାଜୀ କ୍ଲବର ସଦସ୍ୟ ଓ ପୂଜକ ବୃନ୍ଦ ପରିଚାଳନା କରିଥିଲେ।


