ଧାରଣାରୁ ଉଠୁନାହାନ୍ତି ଶ୍ରୀୟାସ୍ମିତା: କହିଲେ, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବସି ରହିବି

ଭୁବନେଶ୍ୱର, ୨୮।୬(ବ୍ୟୁରୋ):ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ ଘଟଣାରେ ୬ ବର୍ଷ ଲାଗି ବହିଷ୍କୃତ ହୋଇଥିବା ଶ୍ରୀୟାସ୍ମିତା ପଣ୍ଡା ଏ ପର୍ଯ୍ୟନ୍ତ ତାଙ୍କ ଧାରଣା ଜାରି ରଖିଛନ୍ତି। ଗୁରୁବାର ସାରେ ପ୍ରବଳ ବର୍ଷା ସତ୍ତ୍ୱେ ସେ ତାଙ୍କ ଧାରଣା ପ୍ରତ୍ୟାହୃତ କରିନାହାନ୍ତି। ଗତ ୫ ଦିନ ହେଲା ସେ ଏଭଳି ପ୍ରତିବାଦ କରୁଥିବା ବେଳେ ତାଙ୍କୁ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ସେ ଧାରଣାରୁ ଉଠୁନାହାନ୍ତି। ଶ୍ରୀୟାସ୍ମିତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କୁ ମିଛରେ ଦଳରୁ ବହିଷ୍କାର କରିଦିଆଯାଇଛି। ଯେଉଁମାନେ ପିସିସି ସଭାପତିଙ୍କ ଉପରକୁ କାଳିମାଡ଼ କରିଥିଲେ ସେମାନଙ୍କ ଭିତରେ ସେ ନ ଥିଲେ। ଭିଜୁଆଲ ଯଦି ରହିଛି ତାହାକୁ ଦେଖିଲେ ଜଣାପଡିବ। ପିସିସି ସଭାପତି ମିଛରେ ତାଙ୍କୁ ବହିଷ୍କାର କରିଥିବାରୁ ଏପର୍ଯ୍ୟନ୍ତ ଆସି ଭେଟୁନାହାନ୍ତି। ଏତେଦିନ ହେଲା ଭୋକ, ଉପାସ, ଖରା ଓ ବର୍ଷାରେ ବସିଲିଣି, ହେଲେ କେହି ତାଙ୍କୁ ଯୋଗାଯୋଗ କରୁନାହାନ୍ତି। ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି କହିଛନ୍ତି।