ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ କଲେଜ

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ)-କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର। ୩୫୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ଏକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନରେ ପରିଣତ କରାଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଘୋଷଣା କରିଛନ୍ତି। ଏହି ଅନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସାନୁଷ୍ଠାନରେ ପରିଣତ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ୫-ଟି ଅଧୀନରେ କାର୍ଯ୍ୟକାରୀ କରାଯିବ। ୨୦୨୪ ଜାନୁୟାରୀ ସୁଦ୍ଧା ଏହାକୁ ଏମ୍ସ ପ୍ଲସ୍‌ରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଠାରେ ସାଧାରଣ ଲୋକଙ୍କୁ ମିଳିବ ଉନ୍ନତ ଚିକିତ୍ସା ସୁବିଧା। ଏହି ଯୋଜନାର ଭିତ୍ତିଭୂମିର ବିକାଶ ସହିତ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ। ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାରୀ ସ୍ତରରେ ଏହା ଦେଶର ସର୍ବ ବୃହତ୍‌ ପ୍ରକଳ୍ପ । ୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ।

Share