Categories: ଜାତୀୟ

ଏସ୍‌ଏସ୍‌ଏଫ୍‌: ବିନା ଓ୍ବାରେଣ୍ଟ୍‌ରେ କରିବ ତଲାସୀ

ଲକ୍ଷ୍ନୌ, ୧୪।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ସ୍ପେଶାଲ ସିକ୍ୟୁରିଟି ଫୋର୍ସ(ଏସ୍‌ଏସ୍‌ଏଫ୍‌) ଗଠନ କରିଛନ୍ତି।  ବିନା ଓ୍ବାରେଣ୍ଟରେ ଯେକୌଣସି ସ୍ଥାନରେ ତଲାସୀ ନେବା ସହିତ ଅପରାଧୀଙ୍କୁ ଗିରଫ କରିବା ଅଧିକାର ଏସ୍‌ଏସ୍‌ଏଫ୍‌ର ରହିବ। ଏସ୍‌ଏସ୍‌ଏଫ୍‌ ଗଠନ କରିବା ଆଦିତ୍ୟନାଥ ଏକ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଛି। ଏସ୍‌ଏସ୍‌ଏଫ୍‌କୁ ଶିଳ୍ପ ସଂସ୍ଥା, ବିମାନ ବନ୍ଦର, ମେଟ୍ରୋ ଏବଂ କୋର୍ଟରେ ମୁତୟନ କରାଯିବ। ଏହା ଜଣେ ଏଡିଜିସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ କାର୍ଯ୍ୟ କରିବ। ୨୦୧୯ ଜୁନ୍‌ରେ ବାର୍‌ କାଉନସିଲ୍‌ ଅଧ୍ୟକ୍ଷ ଦରବେଶ କୁମାରୀ ଯାଦବଙ୍କୁ ଆଗ୍ରାସ୍ଥିତ କୋର୍ଟ ପରିସରରେ ତାଙ୍କ ଚ୍ୟାମ୍ବରରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ସହଯୋଗୀ ଏପରି କରିଥିଲେ। ସେହିପରି ୨୦୧୯ ଡିସେମ୍ବର ୧୭ରେ କିଛି ଅପରାଧୀ ଚିଫ୍‌ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରିଥିଲେ। ଏଥିରେ ୨ ଜଣ ପୋଲିସ ଏବଂ କୋର୍ଟର ଜଣେ କର୍ମଚାରୀ ଆହତ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ଏଭଳି ଆପରାଧୀକ ମାମଲା ଘଟିଥିଲା। ଅପରାଧୀଙ୍କ ମନରେ ଆଇନ କାନୁନ ପ୍ରତି ଭୟ ନ ଥିବା ଏଥିରୁ ପ୍ରତିପାଦିତ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଏସ୍‌ଏସ୍‌ଏଫ୍‌ ଗଠନ ପାଇଁ ଚିନ୍ତା କରିଥିଲେ। ଏସ୍‌ଏସ୍‌ଏଫ୍‌ ଦ୍ୱାରା ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଇ ପାରିବ ବୋଲି କୁହାଯାଉଛି।

Share