Advertisement

କୋରାପୁଟରେ ଏସ୍‌ଏସ୍‌ଏମ୍‌ବି୨୯ର ଶୁଟିଂ ଆରମ୍ଭ

କୋରାପୁଟ,୮ା୩(ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ନିଜର ଆଗାମୀ ଫିଲ୍ମ ଶୁଟିଂ ପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟକୁ ବାଛିଛନ୍ତି। ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଗ୍‌ ବଜେଟ ତେଲୁଗୁ ଫିଲ୍ମ ଏସ୍‌ଏସ୍‌ଏମ୍‌ବି୨୯ର ଶୁଟିଂ ଆରମ୍ଭ ହୋଇଛି। କିଛିଦିନ ପୂର୍ବରୁ ଲମତାପୁଟ, ମାଛକୁଣ୍ଡ ଓ ପୁଟସିଲରେ ଶୁଟିଂ ହୋଇଥିଲା। ବର୍ତ୍ତମାନ ତାଲାମାଲିରେ ଏହି ଫିଲ୍ମର ଶୁଟିଂ ଚାଲିଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଟଲିଉଡ୍‌ର ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରହିଛନ୍ତି।

ମହେଶଙ୍କ ସହ ଶୁଟିଂ ଟିମ୍‌ର ପ୍ରାୟ ୫୦୦ଜଣ କୋରାପୁଟ ଆସିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆସି ନ ଥିବା ସୂଚନା ମିଳିଛି। ନାଗା ପ୍ରଣିତ ଏହାର ପ୍ରଡକ୍ସନ ମ୍ୟାନେଜର ରହିଛନ୍ତି। ମାର୍ଚ୍ଚ ପହିଲାରୁ ୨୯ ଯାଏ କେବଳ କୋରାପୁଟ ଜିଲାରେ ଶୁଟିଂ ହେବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶ ଯେ, ରାଜାମୌଲି ବାହୁବଳି, ଆର୍‌ଆର୍‌ଆର୍‌ ଓ ମଗଧୀରା ଆଦି ବ୍ଲକ୍‌ ବଷ୍ଟର ଫିଲ୍ମ ତିଆରି କରିଛନ୍ତି। ଏହି ଫିଲ୍ମଗୁଡିକ ଦୀର୍ଘ ଦିନ ଧରି ହଲ୍‌ରେ ଚାଲିଥିବା ବେଳେ ପୁରସ୍କୃତ ହୋଇଥିଲେ। ଏହି ଫିଲ୍ମ ନିର୍ମାଣ ହେଲେ କୋରାପୁଟ ଚଳଚ୍ଚିତ୍ର ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ପାଇବା ସହ ଅନ୍ୟ ନିର୍ମାତାମାନେ ଏଠାକୁ ଆସିବାକୁ ଆକୃଷ୍ଟ ହେବେ।

ପୂର୍ବରୁ ୧୭ରୁ ଊର୍ଦ୍ଧ୍ୱ ଦକ୍ଷିଣୀ ଫିଲ୍ମ ଏହି ଜିଲାରେ ଶୁଟିଂ ହୋଇଛି। ସେହିପରି ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁ ଏହି ଇଣ୍ଡଷ୍ଟ୍ରି ଫିଲ୍ମ ଶୁଟିଂ ପାଇଁ କୋରାପୁଟକୁ ଗୁରୁତ୍ୱ ଦେଉଥିବା ଫିଲ୍ମ ପ୍ରଯୋଜନା ସଂସ୍ଥା କହିଛି। ଗତ ୨ ବର୍ଷ ମଧ୍ୟରେ ଜିଲାରେ ଦକ୍ଷିଣୀ ଫିଲ୍ମ ଶୁଟିଂ ହୋଇଛି। ଜିଲାର ଦେଓମାଳି, ଗୁପ୍ତେଶ୍ୱର, ସୁବାଇ, ନନ୍ଦପୁର, ଡୁଡୁମା, ସୁନାବେଡ଼ା, ଜଲାପୁଟ, କୋରାପୁଟ, ଅପର କୋଲାବ ଡ୍ୟାମ୍‌, ଗୁଲମୀ, କେଚଲା ଓ ରାଜା କେଭ୍‌, ସହ ଏକାଧିକ ପର୍ଯ୍ୟଟନସ୍ଥଳ ରହିଛି। ସ୍ଥାନୀୟ ଲୋକେ ମଧ୍ୟ କିପରି ରୋଜଗାର ପାଇପାରିବେ ଓ ଜିଲାରେ କିପରି ପର୍ଯ୍ୟଟନର ବିକାଶ ହେବା ନେଇ ଗୁରୁତ୍ୱ ଦିଆଯିବ ବୋଲି କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନ କହିଛନ୍ତି।

Share