ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ ଅଫିସ,୨ା୧୧: କଟକ ଜିଲା ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀଠାରେ ଜଣେ ଯୁବକଙ୍କ ଏକତରଫା ପ୍ରେମର କରୁଣ ପରିସ୍ଥିତି ମଙ୍ଗଳବାର ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକଙ୍କ ଛୁରାମାଡ଼ରେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଗୁରୁତର ହୋଇଛନ୍ତି। ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ମହୀଧରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏ ନେଇ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୪୮୫/୨୨)ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ, ପ୍ରତାପନଗରୀ ଅଞ୍ଚଳର ସତ୍ୟରଞ୍ଜନ ବେହେରା ଏକତରଫା ଭାବେ ସମ୍ପୃକ୍ତା ଛାତ୍ରୀଙ୍କୁ ଭଲ ପାଉଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ। ହେଲେ ଛାତ୍ରୀ ଜଣକ ଏଥିରେ ରାଜି ନ ହେବାରୁ ସେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ। ଛାତ୍ରୀ ଜଣକ ଏକ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ପ୍ରତାପନଗରୀଠାରେ ବସ୍‌ରୁ ଓହ୍ଲାଇଥିଲେ। ପରେ ଚାଲି ଚାଲି ତାଙ୍କ ଘରକୁ ଯାଉଥିଲେ। ଏହି ସମୟରେ ସତ୍ୟରଞ୍ଜନ ଏକ ବୁଲେଟ୍‌ରେ ଆସି ପହଞ୍ଚିବା ପରେ ଛାତ୍ରୀଙ୍କୁ ଟଣାଓଟରା ସହ ଦୁର୍ବ୍ୟବହାର କରିଥିଲେ। ଛାତ୍ରୀ ଜଣକ ଏହାର ପ୍ରତିବାଦ କରିବାରୁ ସେ ପାଖରେ ରଖିଥିବା ଏକ ଧାରୁଆ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସମ୍ପୃକ୍ତା ଛାତ୍ରୀ ଅନୁସୂଚିତ ଜାତିର ହୋଇଥିବାରୁ ଆକ୍ରମଣ କରିବାବେଳେ ସେ ତାଙ୍କୁ ଜାତିଆଣ ଆକ୍ଷେପ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଛାତ୍ରୀ ଜଣକ ଯନ୍ତ୍ରଣାରେ ଚିତ୍କାର କରୁଥିବାବେଳେ ସତ୍ୟରଞ୍ଜନ ଗାଡ଼ି ନେଇ ଖସି ପଳାଇଥିଲେ। ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ।

Share